ଭୁବନେଶ୍ୱର (ଆମ ଟିଭି): ରାଜ୍ୟ କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ । ପାର୍ଟିଲାଇନରୁ ହଟି ନେତା ଦଳ ବିରୋଧୀ ବୟାନ ଦେଉଛନ୍ତି । ଆଉ ଏହା ବିରୋଧରେ କଠୋର ହୋଇଛନ୍ତି ରାଜ୍ୟ ନେତୃତ୍ୱ । ଦଳୀୟ ବିଶୃଙ୍ଖଳା ଦର୍ଶାଇ କଂଗ୍ରେସର ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ଏହି ଦୁଇ ନେତା ହେଲେ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକ୍କିମ । ତେବେ ୭ ଦିନ ଭିତରେ ନୋଟିସର ଜବାବ ଦେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଦ୍ମପୁର ନିର୍ବାଚନ ପ୍ରସଙ୍ଗରେ ଗଣମାଧ୍ୟମରେ କାହିଁକି ବିବାଦୀୟ ବୟାନ ଦେଲେ, ସେ ନେଇ ୭ଦିନ ଭିତରେ ଉତ୍ତର ରଖିବାକୁ ଦୁଇ ବିଧାୟକଙ୍କୁ ନୋଟିସ୍ରେ ନିର୍ଦ୍ଦେଶ ଦେଇଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ।
କାରଣ ଦର୍ଶାଅ ନୋଟିସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦୁଇ ବିଧାୟକ ସୁର ରାଉତରାୟ ଓ ମହମ୍ମଦ ମୋକିମ୍ । ଉଭୟ ନୋଟିସର ଉତ୍ତର ରଖିବେ ବୋଲି କହିଛନ୍ତି । ସୁର କହିଛନ୍ତି, ଅପ୍ରିୟ ସତ କହିବି । କେହି ରୋକି ପାରିବେନି । ନୋଟିସର ଉତ୍ତର ରଖିବି । ସେହିପରି ମହମ୍ମଦ ମୋକିମ୍ କହିଛନ୍ତି, ଅପ୍ରିୟ ସତ୍ୟ କହିଥିଲି । ଯେଉଁ କଥା ଆପୋଷ ସମାଧାନ ହୋଇପାରିବ, ସେଠି ଏମିତି ନୋଟିସ୍ କରି ସେମାନେ ଦଳକୁ ଭାଗ କରିବାକୁ ଚାହୁଁଛନ୍ତି ।