ପୁରୀ (ଆମ ଟିଭି): ସରକାର କାହିଁକି ଖୋଲୁନାହାନ୍ତି ରତ୍ନଭଣ୍ଡାର । ନ ଖୋଲିବା ପଛରେ କାରଣ କ’ଣ? ରତ୍ନଭଣ୍ଡାର ଏବେ ବିପଦରେ ଏକଥା ସମସ୍ତେ ଜାଣିଛନ୍ତି । କାନ୍ଥ, ଛାତ, ଚଟାଣ, ଚାରିଆଡ଼େ ଫାଟ। ବର୍ଷାରେ ପାଣି ଗଳୁଛି। ଛାତ ଓଦାଳିଆ ରହୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୪ ବର୍ଷ ତଳେ ରତ୍ନଭଣ୍ଡାର ମେକାପଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରାଧିକୃତ କମିଟି ଯେତେବେଳେ ରତ୍ନଭଣ୍ଡାର ଦୁଆର ଖୋଲିଥିଲେ, ଏଭଳି କିଛି ପରିସ୍ଥିତି ଦେଖିବାକୁ ପାଇଥିଲେ। ପ୍ରାଧିକୃତ କମିଟିର ଏହି ଆଖିଦେଖା କଥା ଆଜି ବି ରତ୍ନଭଣ୍ଡାର ମେକାପଙ୍କ ରେଜିଷ୍ଟର ଖାତାରେ ପ୍ରମାଣ ଭାବେ ଉଲ୍ଲିଖିତ ରହିଛି। କେବଳ ଏତିକି ନୁହେଁ, ୨୦୧୮ ଏପ୍ରିଲ ୪ ତାରିଖ ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗ ବୈଷୟିକ ବିଶେଷଜ୍ଞ କମିଟି ଏ ଉପରେ ସତର୍କ କରାଇ ଦେଇଥିଲା।
ଏହାର ୪ ବର୍ଷ ପରେ ବି ନା ଏହି ବୈଷୟିକ ବିଶେଷଜ୍ଞ କମିଟି ରିପୋର୍ଟକୁ ଗୁରୁତ୍ବ ଦିଆଯାଇଛି, ନା ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ୧୭ଜଣିଆ କମିଟି ରିପୋର୍ଟକୁ। ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଥରୁଟିଏ ହେଲେ ଆଇନ ବିଭାଗକୁ ରତ୍ନଭଣ୍ଡାର ସମ୍ପର୍କରେ ଚିଠି ଲେଖି ନଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ଏକମାତ୍ର ସାହାଭରସା । ହେଲେ ଥରୁଟିଏ ପରିଚାଳନା କମିଟିରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠୁନି। କିନ୍ତୁ ବର୍ତ୍ତମାନ ସ୍ଥିତି ଯାହା, ଆସନ୍ତା ୨୭ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟିରେ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ମଣତି ପ୍ରସଙ୍ଗ ଉଠିବ କି ନାହିଁ ତାହା ସ୍ଥିର ହୋଇପାରିନାହିଁ। ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ସ୍ପଷ୍ଟ କହିଛନ୍ତି ଯେ ଆସନ୍ତା ୨୭ ତାରିଖ ବୈଠକରେ ରତ୍ନଭଣ୍ଡାର ଖୋଲିବା ଓ ଏହାର ମରାମତି କରିବା ଉପରେ ସେ ବୈଠକରେ ଦାବି ଉପସ୍ଥାପନ କରିବେ। ଦେଖାଯାଉ ବୈଠକରେ ରତ୍ନଭଣ୍ଡାରକୁ ନେଇ କ’ଣ ଆଲୋଚନା ହେଉଛି ।