ଓଡିଆ ଚଳଚିତ୍ର ଜଗତରେ ପ୍ରବେଶ କଲେ ଡୋରେମନ୍ ର ଭଏସ ଓଭର ଆର୍ଟିଷ୍ଟ ସିମ୍ରନ୍
ଭୁବନେଶ୍ୱର :ଓଡିଆ ଚଳଚିତ୍ର ଜଗତ ଏବେ ପୁଣି ଚଳଚଞ୍ଚଳ, ସେଥିପାଇଁ ପୁଣି ରାଜ୍ୟ ବାହାରର ଅଭିନେତା ଓ ଅଭିନେତ୍ରୀ ମାନେ ଓଡ଼ିଶା ମୁହାଁ ହେଲେଣି । ସେମିତି ଜଣେ ଅଭିନେତ୍ରୀ ହେଲେ ସିମ୍ରନ କୌର । ସିମ୍ରନ ହେଉଛନ୍ତି ଜଣେ ବଲିଉଡ୍ ଅଭିନେତ୍ରୀ ଓ ମଡେଲ । ଏହାଛଡା ସେ ମଧ୍ୟ ଲୋକପ୍ରିୟ ଏନିମେସନ୍ ସିରିଜ୍ ‘ଡୋରେମନ୍’ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ସ୍ୱର ଦିଅନ୍ତି । ସାନଲିସା ସିଗ୍ନେଚର ଫିଲ୍ମ୍ସର ପ୍ରଯୋଜକ ସାନଲିସା ପଟେଲ ପ୍ରଥମ କରି ସିମ୍ରନଙ୍କୁ ନିଜର ପ୍ରଯୋଜିତ ଚଳଚିତ୍ର ‘ପ୍ରଥା’ ରେ ଅଭିନୟର ସୁଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ “ସିମ୍ରନଙ୍କ ଚରିତ୍ର ଏହି ଚଳଚିତ୍ରରେ ଖୁବ ରୋଚକ ହେବ । ସେ ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ । ସେ ଆଜିର ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବେ । ଏହି ରୋଲ୍ ଟି ପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି । ଆଶା କରୁ ଯେ ଓଡିଆ ଦର୍ଶକ ନିଶ୍ଚୟ ଭାବରେ ତାଙ୍କୁ ସ୍ନେହ ଶ୍ରଦ୍ଧା ଦେବେ ।
ସେ ଜଣେ ଭଏସ୍ ଆର୍ଟିଷ୍ଟ ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ୨୦୧୭ ରେ ‘ଅଗ୍ନି ଫେରା’ ସହ ଟିଭିରେ ଡେବ୍ୟୁ କରିଥିଲେ । ଭଏସ୍ ଆର୍ଟିଷ୍ଟ ହେବା ଠାରୁ ଆରମ୍ଭ କରି ଜଣେ ଉତ୍ତମ ଅଭିନେତ୍ରୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ସେ କହନ୍ତି, “ମୁଁ ୧୦ବର୍ଷ ବୟସରୁ ମନୋରଞ୍ଜନ ଦୁନିଆରେ କାମ କରିଆସୁଛି । ମୁଁ ‘ଡୋରେମନ୍’ କାର୍ଟୁନ୍ ରେ ନୋବିତା ଚରିତ୍ରର ସ୍ୱର ଦେଇଥିଲି । ପ୍ରାୟ ଏକ ଦଶନ୍ଧି ଧରି ମୁଁ ସେହି ଚରିତ୍ର ପାଇଁ ଡବିଂ କଲି । ପିଲାଦିନେ ମୁଁ ନାଚ, ଗୀତ ଏବଂ ଅଭିନୟକୁ ଉପଭୋଗ କରୁଥିଲି । ପରେ, ମୁଁ ଥିଏଟର ଏବଂ ଅଭିନୟ କର୍ମଶାଳା କରିବା ଆରମ୍ଭ କରିଥିଲି କାରଣ ମୁଁ ଜାଣିଥିଲି ଯେ ମୁଁ ଜଣେ ଅଭିନେତ୍ରୀ ହେବାକୁ ଚାହୁଁଛି । ବଲିଉଡ୍ ରେ କାମ କଲା ପରେ ଓଡ଼ିଶାରେ କାମ କରିବାର ସୁଯୋଗ ମିଳିଥିବାରୁ ମୋତେ ବହୁତ ଆନନ୍ଦ ଲାଗୁଛି । ମୋ ଅଭିନୟ ଓଡିଆ ଦର୍ଶକଙ୍କ ମନକୁ ଛୁଇଁଲେ ନିଜକୁ ବହୁତ ଗର୍ବିତ ଅନୁଭବ କରିବି । ”
ପ୍ରକାଶ ଥାଉକି “ପ୍ରଥା” ଓଡିଆ ଚଳଚ୍ଚିତ୍ରରେ ସିମ୍ରନଙ୍କ ସହ ମୁଖ୍ୟ ଭୂମିକାରେ ସ୍ବରାଜ,ଶୀତଲ,ବବି ମିଶ୍ର,ବଲିଉଡ୍ ଅଭିନେତା ଯଶଃ ଆଲଓ୍ବାହଟ୍ ,ପଞ୍ଜାବ ମଡେଲ୍ ଓ ଅଭିନେତା ଆଶୁ ବର୍ମା,ରବି ମିଶ୍ର,ସତିଶ ପଟେଲ୍,ଇଲ୍ଲୁ ବାର୍ନାଜୀ ମଧ୍ୟ ଅଭିନୟ କରୁଛନ୍ତି।
ଚଳଚ୍ଚିତ୍ର ର ନିର୍ଦ୍ଦେଶନା କେ ମୂରଲୀକ୍ରିଷ୍ନା ,ସଂଗୀତ ନିର୍ଦ୍ଦେଶନା ଅସଦ ନିଜାମ,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଥିବା ଵେଳେ ଚଳଚ୍ଚିତ୍ରଟି କୋରାପୁଟ୍,ଦିଲ୍ଲୀ,ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସୁଟିଙ୍ଗ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।