ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ର ରାଜନୀତିରେ ଏବେ ଧୀରେ ଧୀରେ ଅଦଳବଦଳ ହେବାରେ ଲାଗିିଛି । ଏହାରି ଭିତରେ ଯାହା ଖବର ମିଳିଛି, ଖୁବଶୀଘ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବଦଳିବେ । ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ଏକନାଥ ସିନ୍ଦେଙ୍କୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ । ଏକନାଥ ସିନ୍ଦେ ଓ ତାଙ୍କ ସହ ଯାଇଥିବା ୧୬ ବିଧାୟକ ଅଯୋଗ୍ୟ ସାବ୍ୟସ୍ତ ହେବେ । ସେଥିପାଇଁ ଅଜିତ ପାୱାରଙ୍କୁ ନିଜ ସରକାରରେ ସାମିଲ କରିଛି ବିଜେପି । କେବଳ ଏତିକି ନୁହେଁ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କିଛି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାୱତ ।
ଏହାସହ ସଞ୍ଜୟ କହିଛନ୍ତି, ଆଜି ଗୁରୁପୂର୍ଣ୍ଣିମା । କିନ୍ତୁ ଗତକାଲି ଏନସିପି ନେତା ଗୁରୁଙ୍କ ସହ ବେଇମାନି କରିଛନ୍ତି । ଏହା ମହାରାଷ୍ଟ୍ର ରାଜନୀତିର କଳାଦିନ । ଯେଉଁ ନେତା ଦୁର୍ନୀତିଗ୍ରସ୍ତ ସେମାନେ ଜେଲରେ ରହିବା କଥା କିନ୍ତୁ ସେମାନେ ଏବେ ସରକାରରେ । ବିଜେପି ଏମଭିଏକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । କାରଣ ଉଭୟ ଶିବସେନା ୟୁବିଟି ଓ ଏନସିପି ତୃଣମୂଳସ୍ତରରେ ବେଶ ସୁଦୃଢ ଓ ସଙ୍ଗଠିତ । ଯେହେତୁ ବିଜେପି ପାଖରେ କୌଣସି ମୁଦ୍ଦା ନାହିଁ ତେଣୁ ସେ ଦଳ ଏଭଳି କରୁଥିବା କହିଛନ୍ତି ସଞ୍ଜୟ ।