ଭୁବନେଶ୍ୱର(ଆମ ଟିଭି): ଦେଶରେ ସମ୍ଭବପର କି ଏକକ ନିର୍ବାଚନ? ଏହାକୁ ନେଇ ସାରା ଦେଶରେ ଚାଲିଛି ବଡ଼ ବିତର୍କ। ୱାନ୍ ନେସନ ୱାନ ଇଲେକ୍ସନକୁ ନେଇ ୪୭ଟି ରାଜନୈତିକ ଦଳର ମତାମତ ନିଆଯାଇଥିଲା। ସେଥିରୁ ୩୨ଟି ସପକ୍ଷରେ ଏବଂ କଂଗ୍ରେସ ସମେତ ୧୫ଟି ଦଳ ଏହାକୁ ବିରୋଧ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି ଏକକ ନିର୍ବାଚନକୁ ସମର୍ଥନ କରିଥିଲା। ହେଲେ ନିର୍ବାଚନ ହାରିବା ପରେ ଦଳର ଆଭିମୁଖ୍ୟ ବଦଳିଯାଇଛି କି?
ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ବିଜେପି ସରକାରଙ୍କ ପ୍ରତିଟି ବିଲକୁ ସମର୍ଥନ କରିଆସୁଥିଲା ବିଜେଡି। ଆଉ ସେତେବେଳେ କେନ୍ଦ୍ର ସରକାରଙ୍କ ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ ସମର୍ଥନ କରିବାକୁ ଆଗେଇ ଆସିଥିଲା ଦଳ। ହେଲେ ବିଜେଡିର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଲେଣି ବିଶେଷଜ୍ଞ। ସେମାନଙ୍କ ମତରେ ନବୀନଙ୍କ ରାଜନୀତିକ ନିଷ୍ପତ୍ତି ଆଗଭଳି ସ୍ପଷ୍ଟତା ନାହିଁ। ବରଂ ସେ ଦ୍ୱନ୍ଦ୍ୱରେ ଏକଥା ଜଳଜଳ ଦିଶିଲାଣି।
ସୂଚନାଯୋଗ୍ୟ ଯେ, ଲୋକସଭାରେ ବିଜେଡିର ସଦସ୍ୟ ନାହାନ୍ତି। ରାଜ୍ୟସଭାରେ ବିଜେଡିକୁ ଚୋଟ ମାରୁଛି ବିଜେପି। ଓଡ଼ିଶାରେ ବି ବିଜେଡି କ୍ଷମତାରେ ନାହିଁ। ଏଭଳି ସ୍ଥିତିରେ ନବୀନ ୱାନ୍ ପୋଲ ୱାନ୍ ନେସନକୁ ନେଇ ଆଗକୁ କେଉଁ ପକ୍ଷ ନେବେ, ସେଥିରୁ ସ୍ପଷ୍ଟ ହେବ, ନବୀନ ବିଜେପି ନା ବିରୋଧୀଙ୍କ ସହିତ ରହିବେ।