ଝାଡ଼ଖଣ୍ଡର ଅଙ୍କିତା ମୃତ୍ୟୁ ମାମଲାର ତଦନ୍ତ କରିବ ଏସଆଇଟି

0

ରାଞ୍ଚି (ଆମ ଟିଭି): ଝାଡ଼ଖଣ୍ଡର ଅଙ୍କିତା ମୃତ୍ୟୁ ମାମଲାକୁ ନେଇ ଏବେ ଝାଡ଼ଖଣ୍ଡ ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ରାଜନୈିତକ ସଙ୍କଟ ସହ ବର୍ତ୍ତମାନ ଏହି ହତ୍ୟା ଘଟଣା ଝାଡ଼ଖଣ୍ଡ ସରକାରଙ୍କୁ ଅକଳରେ ପକାଇଛି । ତେବେ ଝାଡ଼ଖଣ୍ଡର ଦୁମ୍କା ଅଞ୍ଚଳରେ ଅଙ୍କିତା ନାମକ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ପ୍ରେମ ପାଇଁ ଜଣେ ଯୁବକ ଜୀଅନ୍ତା ପୋଡ଼ି ମାରିଦେବା ଘଟଣାର ତଦନ୍ତ କରିବ ଏସ୍ଆଇଟି । ଏନେଇ ମଙ୍ଗଳବାର ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏକତରଫା ପ୍ରେମ ପାଇଁ ଶାହାରୁଖ ନାମକ ଜଣେ ଯୁବକ ଅଙ୍କିତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ୫ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଅଙ୍କିତାଙ୍କ ଜୀବନ ଚାଲିଯାଇଥିଲା । ଏହାକୁ ନେଇ ଦୁମ୍କା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ତେଜନା ଲାଗି ରହିବାରୁ ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏସ୍ଆଇଟି ଗଠନ କରିଛନ୍ତି ।

ଏହି ଏସ୍ଆଇଟିର ନେତୃତ୍ୱ ଦୁମ୍କା ଏସ୍ପିନେବାର ସ୍ଥିର ହୋଇଛି । ଏସ୍ଆଇଟି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇବ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଏହି ମୃତ୍ୟୁକୁ ନେଇ ବିଭିନ୍ନ ସ୍ଥାନରେ ଜୋର୍ଦାର ଆନ୍ଦୋଳନ ଜାରି ରହିଥିବାବେଳେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି ହୋଇଛି । ସହରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିବା ଆଶଙ୍କାରେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଶାହାରୁଖ ଫୋନ୍ କରି ଅଙ୍କିତାଙ୍କୁ ପ୍ରେମ ନିବେଦନ କରିବା ପରେ ସେ ତାହାକୁ ପ୍ରତ୍ୟାଖାନ କରିବାରୁ ଶାହାରୁଖ ପ୍ରତିଶୋଧ ନେବାକୁ ଯାଇ ଅଙ୍କିତାଙ୍କ ଘର ନିକଟରେ ପହଞ୍ଚିଥିଲା ଓ ସେ ଶୋଇଥିବାବେଳେ ଝରକା ବାଟେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଫଳରେ ଅଙ୍କିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିଲା ।

 

Leave A Reply

Your email address will not be published.