ବିହାର ରାଜନୀତିରେ ମୃଦୁ ଭୁମିକମ୍ପ: ବିଜେପି ସହ ମେଣ୍ଟ ଭାଙ୍ଗିବେ ନୀତିଶ କୁମାର!

0

ନୂଆଦିଲ୍ଲୀ(ଆମ ଟିଭି): ବିହାର ରାଜନୀତିରେ ମୃଦୁ ଭୁମିକମ୍ପ ଦେଖାଦେଇଛି । ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ମେଣ୍ଟର ପତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ସହ ସବୁ ସମ୍ପର୍କର ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏପରିକି ଅଗଷ୍ଟ ୧୧ ତାରିଖ ପୂର୍ବରୁ ହିଁ ବିହାରରେ ରାଜନୈତିକ ସମୀକରଣ ବଦଳିବା ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି । ଏପରିକି ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (RJD) ସହ ପୁଣି ମେଣ୍ଟ କରି ସରକାର ଚଳାଇପାରନ୍ତି ନୀତିଶ କୁମାର । ଗତ ମାସେ ହେଲା ବିହାର ରାଜନୀତିରେ ବ୍ୟାପକ ଉତ୍ଥାନ ପତ୍ତନ ଦେଖିବାକୁ ମିଳୁଛି । ବିଭିନ୍ନ ଘଟଣାକ୍ରମକୁ ଦେଖିଲେ ଏହା ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ବିଜେପି ଏବଂ ଜେଡିୟୁ ମେଣ୍ଟ ସରକାର ମଧ୍ୟରେ କିଛି ଠିକଠାକ୍‌ ଚାଲୁନାହିଁ । କିନ୍ତୁ ଏ ନେଇ ଉଭୟ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଉ ନାହିଁ । ଅନ୍ୟପଟେ ଏନଡିଏ ମେଣ୍ଟ ପକ୍ଷରୁ ହେଉଥିବା କୌଣସି ବୈଠକରେ ମଧ୍ୟ ଯୋଗ ଦେଉନାହାନ୍ତି ସିଏମ୍‌ ନୀତିଶ କୁମାର ।

ଗତ ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ତ୍ରିରଙ୍ଗାକୁ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡକାଯାଇଥିଲା । କିନ୍ତୁ ଏହି ବୈଠକରେ ନୀତିଶ କୁମାରଙ୍କୁ ଦେଖିବାକୁ ମିଳିନଥିଲା । ସେହିଭଳି ଜୁଲାଇ ୨୨ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭୋଜିରେ ନୀତିଶ କୁମାରଙ୍କୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ଯୋଗ ଦେଇନଥିଲେ ନୀତିଶ । କେବଳ ସେତିକି ନୁହେଁ ଜୁଲାଇ ୨୫ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ନୀତିଶଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଥିରେ ମଧ୍ୟ ସାମିଲ ହୋଇନଥିଲେ ଜେଡିୟୁ ସୁପ୍ରିମୋ ।

ଅଗଷ୍ଟ ୭ ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ନୀତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମଧ୍ୟ ନୀତିଶ ସାମିଲ ହେବାର ଥିଲା କିନ୍ତୁ ସେ ଉପସ୍ଥିତ ନଥିଲେ । ସେହିଭଳି ଶନିବାର ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହ । ବେଆଇନ ସମ୍ପତ୍ତି ଆରୋହଣ କରିବା ଅଭିଯୋଗ ଆଣି ସ୍ପଷ୍ଟୀକରଣ ରଖିବାକୁ କହିଥିଲା ଦଳ । ଏହା ପୂର୍ବରୁ ସେ ପାର୍ଟିରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ ଆରସିପି ସିଂହଙ୍କ ସହ କେନ୍ଦ୍ରୀୟ ନେତୃତ୍ବଙ୍କ ବେଶ ଘନିଷ୍ଠତା ଥିବା ନୀତିଶ ଭଲ ଭାବେ ଜାଣିଛନ୍ତି । ଏପରିକି ଗତ ବର୍ଷ ମୋଦିଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ବେଳେ ନୀତିଶ କୁମାରଙ୍କ ଇଚ୍ଛା ବିନା କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ ଆରସିପି ସିଂହ । ଏବେ ସେ ଜେଡିୟୁରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବାନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.