ଓଡ଼ିଶାରୁ ରାଜ୍ୟସଭା ଯିବେ ସୋନୁ ସୁଦ୍ !
ଭୁବନେଶ୍ୱର(ଆମ ଟିଭି): ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ନବୀନ ନିବାସକୁ ଯାଇ ସୋନୁ ସୁଦ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ତେବେ ସୋନୁଙ୍କ ଏ ସାକ୍ଷାତ ରାଜନୈତିକ କରିଡରରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଛି। କାରଣ, ଦେଶରେ ଖାଲିପଡ଼ିଥିବା ରାଜ୍ୟସଭା ଆସନ ପାଇଁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇସାରିଛି । ତେବେ ଓଡ଼ିଶାରୁ ମଧ୍ଯ ୪ଟି ଆସନ ଖାଲି ପଡ଼ିଛି। ବିଜେପି ଓ କଂଗ୍ରେସର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ୪ଟି ଆସନ ଯାକ ବିଜେଡି ହାତରେ ରହିଛି। ତେଣୁ, ଦଳର ସୁପ୍ରିମ ନବୀନ କାହାକୁ ରାଜ୍ୟସଭା ପଠାଇବେ ସେନେଇ ମାନସ ମନ୍ଥନ ଚଳାଇଛନ୍ତି। ତେବେ ଏତିକିବେଳେ ସୋନୁଙ୍କ ନବୀନ ନିବାସ ଗସ୍ତ ଭିନ୍ନ କିଛି ସୂଚାଉଛି। ସୋନୁଙ୍କ ସାକ୍ଷାତରୁ ଯାହା ଅନୁମାନ କରାଯାଉଛି ବିଜେଡି ସହଯୋଗରେ ସୋନୁ ଯାଇପାରନ୍ତି ରାଜ୍ୟସଭା। କାରଣ କରୋନା ସମୟରେ ସେ ବହୁ ଓଡ଼ିଆଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ । ମୁଖ୍ୟମନ୍ତ୍ରୀ ସେତେବେଳେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେଣୁ ସେହି ଅନୁକମ୍ପା ଦୃଷ୍ଟିରୁ ନବୀନ ସୋନୁଙ୍କୁ ରାଜ୍ୟସଭା ପଠେଇ ଓଡ଼ିଆ ମାନଙ୍କର ତାଙ୍କ ପ୍ରତି ଥିବା ଭଲପାଇବାର ଭୋଟେ ହାତେଇବାକୁ ଚାହାନ୍ତି।

ସେପଟେ ଜିନ୍ଦଲ ଷ୍ଟିଲପ୍ଲାଣ୍ଟର ମୁଖ୍ୟ ନବୀନ ଜିନ୍ଦଲ, ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ନିକଟରେ ହାତ ଛାଡ଼ିଥିବା ନବରଂଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି, ପୂର୍ବତନ ଆଇପିଏସ ଅରୂପ ପଟ୍ଟନାୟକ, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଅବସରପ୍ରାପ୍ତ ଆଇଏଏସ ଶୁସ୍ମିତା ବାଗ୍ଚୀ ରାଜ୍ୟସଭା ଯିବାକୁ ନେଇ ଚର୍ଚ୍ଚା ମଧ୍ଯ ହେଉଛି।