ବଢ଼ିଲା ସୋରେନଙ୍କ ଅଡ଼ୁଆ
ଜେଲରେ ଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଚାର୍ଜସିଟ୍ ଅନୁସାରେ, ହେମନ୍ତ ସୋରେନ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ଏବଂ ହେରଫେର ସହ ଜଡିତ ଅଛନ୍ତି। ସୋରେନଙ୍କ ସମେତ ରାଜସ୍ୱ ଅଧିକାରୀ ଭାନୁ ପ୍ରତାପ ପ୍ରସାଦ ଏବଂ ଦୁଇ ଜଣ ଅନ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ଇଡି।
ଇଡି ଚାର୍ଜସିଟରେ କୁହିଛି ଯେ, ହେମନ୍ତ ସୋରେନ୍ ଏହି ଜମି ଦୁର୍ନୀତିର ଏକ ଅଂଶ ଭାବରେ ରହି ଅପରାଧିକ ଆୟକୁ ଉପଭୋଗ କରିଛନ୍ତି। ତଦନ୍ତ ସମୟରେ ଭାନୁ ପ୍ରତାପଙ୍କ କାର୍ଯ୍ୟାଳୟରୁ ୪୪ ପୃଷ୍ଠାର ଫାଇଲ ମିଳିଥିଲା, ଯେଉଁଥିରେ ହେମନ୍ତ ସୋରେନଙ୍କ ମାଲିକାନାରେ ଥିବା ୮.୮୬ ଏକର ବେଆଇନ ଜମି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।
ଭାନୁ ପ୍ରତାପ ସୋରେନଙ୍କୁ ‘ବସ୍’ ବୋଲି କହୁଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ, ହେମନ୍ତ ସୋରେନ ୨୦୧୧ରୁ ରାଞ୍ଚିର ବରଗାଁ ଅଞ୍ଚଳରେ ୮.୮୬ ଏକର ଜମିକୁ ବେଆଇନ ଭାବେ ଦଖଲ କରିଥିଲେ। ବର୍ତ୍ତମାନ ଏହି ଜମିର ମୂଲ୍ୟ ୩୧ କୋଟି ଟଙ୍କା ହେବ।