ନୂଆଦିଲ୍ଲୀ (ଆମ ଟିଭି ): ଦିନିକିଆ ବିଶ୍ଵକପ ପାଇଁ ଏବେଠୁ ଆରମ୍ଭ ହେଲାଣି ହଲଚଲ । ଭାରତରେ ଖେଳାଯିବାକୁ ଥିବା ଏହି ଦିନିକିଆ ବିଶ୍ୱକପ ଉପରେ ପୂରା ବିଶ୍ୱର ନଜର ରହିଛି । ଆସନ୍ତା ଅକ୍ଟୋବର ୫ ତାରିଖରନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ କ୍ରିକେଟ ମହାକୁମ୍ଭ । ପୂର୍ବରୁ ୮ଟି ଟିମ୍ ସିଧାସଳଖ ଯୋଗ୍ୟତା ଅଜର୍ନ କରିଥିବା ବେଳେ ଅନ୍ୟ ଶ୍ରୀଲଙ୍କା ଓ ନେଦରଲାଣ୍ଡସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ବିଶ୍ୱକପ ଟିକେଟ ହାତେଇଛନ୍ତି । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଛି ଭବିଷ୍ୟବାଣୀ ।
ବିଶ୍ୱର ବଡ ବଡ କ୍ରିକେଟର ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଖୁସି କରିବ ନିଶ୍ଚିତ । ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ଅନୁଯାୟୀ ଚଳିତ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ୨ଟି ମୁକାବିଲା ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ଅକ୍ଟୋବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଯେଉଁ ମ୍ୟାଚ୍ ଦେଖିବାକୁ ବିଶ୍ୱ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ବସିଛନ୍ତି । କେବଳ ଲିଗ୍ ପର୍ଯ୍ୟାୟରେ ନୁହେଁ ବରଂ ସେମିଫାଇନାଲ ମୁକାବିଲାରେ ମଧ୍ୟ ଭାରତ-ପାକିସ୍ତାନ ମୁକାବିଲା କ୍ରିକେଟପ୍ରେମୀ ଦେଖିବାକୁ ପାଇପାରନ୍ତି ବୋଲି କହିଛନ୍ତି ଗାଙ୍ଗୁଲି । ଅଥାର୍ତ ଆସନ୍ତା ବିଶ୍ୱକପର ସେମିଫାଇନାଲ ମୁକାବିଲାକୁ ନେଇ ଗାଙ୍ଗୁଲି ଭବିଷ୍ୟବାଣୀ କରିଛନ୍ତି ।
ଗାଙ୍ଗୁଲିଙ୍କ ନିଜ ସେମିଫାଇନାଲ ଭବିଷ୍ୟବାଣୀରେ ୪ଟି ବଦଳରେ ୫ଟି ଟିମକୁ ବାଛିଛନ୍ତି । ଏହି ୫ଟି ଦଳ ମଧ୍ୟରେ ଭାରତ, ପାକିସ୍ତାନ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ରହିଛି । ଗାଙ୍ଗୁଲି କହିଛନ୍ତି ୨୦୨୩ ବିଶ୍ୱକପ ବେଶ ରୋମାଞ୍ଚକର ହେବ ।