ରଥଯାତ୍ରା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା ; ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୌରସଦନରେ ହେଲା ବୈଠକ
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ,ସ୍ଵାସ୍ଥ୍ୟ ମନ୍ତ୍ରୀ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ , ଅତିରିକ୍ତ ମୁଖ୍ୟ ଶାସନ ସଚିବ,ସାଂସଦ,ବିଧାୟକ ,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ,ଜିଲ୍ଲାପାଳ ଓ ଏସ୍ପି ଯୋଗ ଦେଇଥିଲେ । ଜୁନ ୨୬ ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଥିଲେ ।
ପଶ୍ଚିମ ଦ୍ଵାର ଦେଇ ପୁରୀ ବାସୀଙ୍କୁ ଛାଡ଼ିବା ଓ ଗୁଣ୍ଡିଚା ମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ସୁନୀଲ ମହାନ୍ତି ପ୍ରସ୍ତାବ ଦେଇଛନ୍ତି । ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ କରିଛନ୍ତି । ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି । ତାମିଲନାଡୁରୁ ଗ୍ରେଡ୍ ଏ ମାନର ଚନ୍ଦନ କାଠ ଆସିଛି । ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ନବୀକରଣ କରାଯାଇଛି । ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଓ ବିଭାଗୀୟ ସଚିବ l
ରଥଯାତ୍ରା ସମୟର ଆମ୍ବୁଲାନ୍ସ କରିଡ଼ର ହେବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ । ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୦ ଲକ୍ଷ ପାଣି ବୋତଲ ଓ ପାଉଚ୍ର ବ୍ୟବସ୍ଥା କରାଯାଇଛି । ସହରରେ ୯୦ ପ୍ରତିଶତ ଡ୍ରେନ୍ ସଫେଇ କାମ ସରିଛି । ପ୍ରତ୍ୟେକ ସାହି ଗଳି କନ୍ଦିରେ ରାସ୍ତାଘାଟ ମରାମତି ,ମଶା ଧୂଆଁ ସ୍ପ୍ରେ , ଷ୍ଟ୍ରିଟ୍ ଲାଇଟ୍ ମରାମତି ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ତାଳବଣିଆରେ ମାଷ୍ଟର କଣ୍ଟ୍ରୋଲ ରୁମ୍ କରାଯିବ । ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ ସହ ୧୪ଟି ବର୍ଷା ଜଳ ଜମି ରହୁଥିବା ସ୍ଥାନରେ ୩୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ମୁତୟନ ରହିବ । ମାଳତୀପାଟପୁରରେ ଟୁରିଷ୍ଟ ବସ୍ ଓ ରଥଯାତ୍ରା,ବାହୁଡ଼ା ଓ ସୁନାବେଶ ଦିନ ଯାତ୍ରୀବାହୀ ବସ ତାଳବଣିଆରେ ପାର୍କିଂ କରିବ ।