ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ:ସୁସ୍ଥ କରିବାକୁ ଲାଗିପଡିଛନ୍ତି ସେବକ
ପୁରୀ(ଆମ ଟିଭି):୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବାପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ। ସାଧାରଣତ କାହାଘରେ ଯେମିତି ଅସୁସ୍ଥ ହେଲେ ପରିବାରର ମନ ଦୁଃଖ ହୁଏ ସେମିତି ମହାପ୍ରଭୁଙ୍କ ଅସୁସ୍ଥତାରେ ପାଇଁ ଶ୍ରୀମନ୍ଦିରରେ ନିରବତା ଖେଳିଯାଇଛି । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଲାଗିପଡିଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଶୁକ୍ଲ ବସ୍ତ୍ର ସହ ମହାପ୍ରଭୁଙ୍କୁ ଫୁଲ ବି ଧଳା ରଙ୍ଗର ଲାଗି ହୋଇଛି।
ସେହିପରି ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଲାଗି ହୋଇନାହିଁ। ଟଗର ସହ ଅନ୍ୟାନ୍ୟ ଧଳା ଫୁଲକୁ ମହାପ୍ରଭୁଙ୍କଠାରେ ଲାଗି କରାଯାଇଛି। ଅନ୍ୟ କୌଣସି ରଙ୍ଗର ଫୁଲ ଅଣସର ପିଣ୍ଡିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଅସୁସ୍ଥ ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଗତକାଲିଠୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ହୋଇଛି।