ଭୁବନେଶ୍ୱର (ଆମ ଟିଭି): ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଦୁଇ ସେବକ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଦୀର୍ଘ ସମୟ ଧରି ବ୍ୟାଘାତ ହେବା ପରେ ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ରୀତିନୀତି ସ୍ୱାଭାବିକ ହୋଇଛି। ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ଶ୍ରୀଲିଙ୍ଗରାଜ । ଏହା ସହ ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୀର୍ଘଘଣ୍ଟା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଥିଲା ବିବାଦ । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ଥିଲା ନୀତିକାନ୍ତି ।
ସୂଚନା ଯୋଗ୍ୟ; ଗତକାଲି ସନ୍ଧ୍ୟାରେ କ୍ଷୀର ଆଉଟା ନୀତିକୁ ନେଇ ବିବାଦ ସୃଷ୍ଟି ହୋଇଛି । ଉଭୟ ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି । ଶୀତ ଋତୁରେ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ଔଷଧ ବା ଘୃତଲେପନ ବିଧି କରାଯିବାର ପରମ୍ପରା ରହିଛି । ଏଥିଲାଗି ମକର ସଂକ୍ରାନ୍ତି ପୂର୍ବଦିନ କ୍ଷୀର ଆଉଟା ନୀତି କରାଯାଇଥାଏ । କିନ୍ତୁ ଗତକାଲି ଏହି ନୀତିରେ ବିଭ୍ରାଟ ସୃଷ୍ଟି ହୋଇଥିଲା ।
ବ୍ରାହ୍ମଣ ନିଯୋଗ ସମସ୍ତ ସରଞ୍ଜାମ ସଜାଡ଼ି ରଖିଥିଲେ । କିନ୍ତୁ ମେଘଡମ୍ବରୁ ଏବଂ କ୍ଷୀର ଆସିନଥିବା ଅଭିଯୋଗ କରି ବଡ଼ୁ ସେବାୟତମାନେ ନୀତି କରିବାକୁ ଅଡ଼ି ବସିଥିଲେ । ପରେ ମେଘଡମ୍ବରୁ ଆସିଥିବାବେଳେ କ୍ଷୀର ଆସିନଥିବା ଅଭିଯୋଗ କରିଥିଲେ । ଏହା ମନ୍ଦିରର ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିବା ମଧ୍ୟ କହିଥିଲେ । ଯାହାକୁ ନେଇ ବିବାଦ ଦେଖାଯିବା ପରେ ବଡ଼ୁ ସେବାୟତ ମାନେ ପହୁଡ଼ ପକାଇ ଦେଇଥିଲେ । ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିବା କିଛି ନୂଆ ଘଟଣା ନୁହେଁ । ବିଭିନ୍ନ ପର୍ବପର୍ବାଣୀରେ ସେବାୟତଙ୍କ ଏଭଳି ମନମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି ।