ମିସନ ୨୦୨୪ ସଫଳତା ପାଇଁ କୋର୍ କମିଟି ଗଠନ କଲା ରାଜ୍ୟ ବିଜେପି
ଭୁବନେଶ୍ବର(ଆମ ଟିଭି): ମିସନ ୨୦୨୪ ସଫଳତା ପାଇଁ କୋର୍ କମିଟି ଗଠନ କଲା ରାଜ୍ୟ ବିଜେପି । ବିଜେପିର ମିସନ ୨୦୨୪ କିଭଳି ସଫଳ କରି ହେବ, ସେ ନେଇ ଆଜି ଅଙ୍କ କଷିଛନ୍ତି ନବନିଯୁକ୍ତ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ। ଦ୍ଵିତୀୟ ଦିନରେ ମାରାଥନ ବୈଠକ କରି ପଦାଧିକାରୀ ଓ କୋର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ କୋର କମିଟି ବୈଠକ ବସିଥିଲା। ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପୂର୍ବତନ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ପ୍ରମୁଖ ଉପସ୍ଥିତ ଥିଲେ।
ପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ଥଲେ। ରାଜ୍ୟ ସରକାରଙ୍କ ବିଫଳତାକୁ କିଭଳି ଲୋକଙ୍କ ଅବଗତ କରାଯିବ ଓ ମୋଦୀ ସରକାରଙ୍କ ସଫଳତା ଲୋକଙ୍କ ପାଖରେ କିଭଳି ପହଞ୍ଚିବ। ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ।