୧୦ରେ ରାଜ୍ୟ କ୍ୟାବିନେଟ୍: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ୩୮ତମ ରାଜ୍ୟ କ୍ୟାବିନେଟ୍ ବୈଠକକୁ ପଞ୍ଚାୟତିରାଜ, ନିର୍ମାଣ, ରାଜସ୍ବ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସାଧାରଣ ପ୍ରଶାସନ ବିଭାଗ ସମେତ ଆଉ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ରହିଛି ପଞ୍ଚାୟତିରାଜ ଏବଂ ନିର୍ମାଣ ବିଭାଗ। ଆଗାମୀ ଦିନରେ ରାଜ୍ୟବାସୀଙ୍କ ନିକଟରେ ଶତପ୍ରତିଶତ ପାଇପ୍ ଯୋଗେ ପାନୀୟଜଳ ପହଞ୍ଚାଇବା ଏବଂ ଏହାର ରକ୍ଷଣାବେକ୍ଷଣ ଲାଗି ସରକାର ନୂତନ ନୀତି ଆଣିବାକୁ ପ୍ରସ୍ତାବ ରଖିଛନ୍ତି। ଏହାକୁ ଉକ୍ତ ବୈଠକରେ ଅନୁମୋଦନ ମିଳିବା ନେଇ ବିଭାଗ ଆଶାବାଦୀ ରହିଛି। ସେହିପରି ନିର୍ମାଣ ବିଭାଗ ପକ୍ଷରୁ ଏକ ଗୁୁରୁତ୍ୱପୂର୍ଣ୍ଣ ସେତୁର ଟେଣ୍ଡର ପ୍ରସ୍ତାବ ମଧ୍ୟ ଆସିବାକୁ ରହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଇତିମଧ୍ୟରେ ୩୭ଟି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇସାରିଛି। ସେଥିମଧ୍ୟରେ ମହିଳାଙ୍କୁ ସଶକ୍ତୀକରଣ ଲାଗି ‘ସୁଭଦ୍ରା’ଠାରୁ ଆରମ୍ଭକରି ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି, ୮୦ ବର୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟମାନଙ୍କ ଲାଗି ୩,୫୦୦ଟଙ୍କାର ଭତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।