ଅପରାହ୍ଣରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ; ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ
ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ଶନିବାର ଅପରାହ୍ଣରେ ବସିବ ଏହି ମିଟିଂ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଅଧ୍ୟକ୍ଷତା କରିବେ । ଏଥିରେ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିପାରେ । ମନ୍ତ୍ରୀ ପରିଷଦ ବୈଠକ ପରେ କ୍ୟାବିନେଟ୍ ବୈଠକ ଆରମ୍ଭ ହେବ । ଆସନ୍ତା ୨୬ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ସରକାର ପ୍ରଥମ ଅତିରିକ୍ତ ବଜେଟ ଆଣିବେ । ଏନେଇ ବିଭିନ୍ନ ବିଭାଗ ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ଦେଇଛନ୍ତି । କ୍ୟାବିନେଟ୍ରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର ।
ସୂଚନାଯୋଗ୍ୟ ଯେ, ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଗାମୀ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଇତ୍ୟାଦି ପ୍ରସଙ୍ଗରେ ସରଗରମ ହେବା ଆଶଙ୍କା କରାଯାଉଛି । ଆକ୍ରମଣ-ପ୍ରତି ଆକ୍ରମଣରେ ବେଶ୍ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଯେତିକି ଆକ୍ରମଣ ବିରୋଧୀ କରିଥିଲେ, ତା’ଠାରୁ ଢେର ଅଧିକ ପାଲଟା ଆକ୍ରମଣ କରିଥିଲେ ସରକାରୀ ଦଳ ।