ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପଥର: କାରଣ ଅସ୍ପଷ୍ଟ
ପୁରୀ (ଆମ ଟିଭି): ପୁଣି ଶ୍ରୀମନ୍ଦିରରେ ଅଘଟଣ । ପୁରୀ ମନ୍ଦିର ଉପରୁ ପଥର ଖସିଥିବା ପୂର୍ବରୁ ଶୁଣିଥିବେ ନିଶ୍ଚୟ । ହେଲେ ଏବେ ପୁଣି ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ ଜବତ କରି ରଖାଯାଇଛି । ତେବେ ବଡ଼ ଠାକୁରଙ୍କ ପଛ ପରିକ୍ରମାରେ ଏହି ଖଣ୍ଡ ପଡ଼ିଥିବା ସୂଚନା ମିଳିଛି ।
ସୌଭାଗ୍ୟବଶତଃ ଏହା ଦ୍ୱାରା ବଡ଼ ଠାକୁରଙ୍କ ଶ୍ରୀଅଙ୍ଗ କିନ୍ତୁ ସୁରକ୍ଷିତ ରହିଛି । ମିଳିଥିବା ସୂଚନା ଅନୁସାରେ. ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟ ପରିକ୍ରମା ମାର୍ଗରୁ ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଏହି ପଥର ଠାବ କରାଯାଇଥିଲା । ଏହାର ଓଜନ ଦେଢ଼ କିଲୋ ହେବ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପ୍ଲାଷ୍ଟର ବୋଲି ଦାବି କରିଛି । ରଥଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ ସମୟରେ ହୋଇଥିବା ମରାମତି ଯୋଗୁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।