ଭୁବନେଶ୍ୱର (ଆମ ଟିଭି): ବାତ୍ୟା ଉଜାଡ଼ି ଦେଲା ସୁନା ଫସଲ । ‘ମିଗଜୋମ’ ବାତ୍ୟା ଯୋଗୁଁ ମଙ୍ଗଳବାର ରାତିରୁ ବୌଦ୍ଧ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବର୍ଷା ପରିମାଣ କମ୍ ଥିଲେ ସୁଦ୍ଧା ଅମଳକ୍ଷମ ଫସଲ ପାଇଁ କାଳ ସାଜିଛି। ବୌଦ୍ଧ ବ୍ଲକ୍ରେ ସର୍ବାଧିକ ୬ ମିମି ବର୍ଷା ହୋଇଥିବା ବେଳେ କଣ୍ଟାମାଳ ବ୍ଲକରେ ୪.୪ ମିମି ଓ ହରଭଙ୍ଗା ବ୍ଲକରେ ୨ ମିମି ବୃଷ୍ଟିପାତ ହୋଇଛି। ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ଧାନ ପାକଳ ହୋଇ କାଟିବା ଅବସ୍ଥାରେ ରହିଛି।
ଅଧିକାଂଶ ସ୍ଥାନରେ କାଟିବା ଆରମ୍ଭ ହୋଇଛି। କଟା ହୋଇ ନଥିବା ଧାନ କିଛି ମାତ୍ରାରେ ରକ୍ଷା ପାଇ ଯାଇଛି। ହେଲେ କଟା ଧାନକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି। ବଡ଼ ଚାଷୀ ମେସିନ ଲଗାଇ ଧାନ ଅମଳ କରୁଥିବା ବେଳେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି। ଜମିରେ ପଡ଼ିଥିବା ପେଟା ଓଦା ହୋଇଯାଇଛି। ଏଭଳି ପାଗ କିଛି ଦିନ ରହିଲେ ଓଦା ଧାନ ଗଜା ହୋଇଯିବା ଆଶଙ୍କା ରହିଛି।