୨୪ ଘଣ୍ଟାରେ ୧୯ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

0

ଭୁବନେଶ୍ବର (ଆମ ଟିଭି): ସାରା ରାଜ୍ୟରେ ଏବେ ବାତ୍ୟାକୁ ନେଇ ଭୟ । ବର୍ଷା ମଧ୍ୟ ଲାଗି ରହିଛି । ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି । ଅନ୍ୟପକ୍ଷରେ ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଉପରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୪ ଅକ୍ଟୋବର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୯ଟି ଜିଲ୍ଲାକୁ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ମାଲକାନାଗିରି ଓ କୋରପୁଟ ପ୍ରଭୃତି ଜିଲ୍ଲା ରହିଛି। ଏହି ଜିଲ୍ଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.