ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

0

ଭୁବନେଶ୍ୱର (ଆମ ଟିଭି): – ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ୧(ଓଡ଼ିଶା) ଏୟାର ସ୍କ୍ୱାଡନ୍‌, ଏନ୍‌.ସି.ସି. ଭୁବନେଶ୍ୱର କମାଣ୍ଡିଙ୍ଗ୍ ଅଫିସର ଗ୍ରୁପ୍ କ୍ୟାପଟେନ୍ ପୁନୀତ୍ ଚିଲ୍ଲର୍ ଯୋଗଦାନ କରି ନିଜର ବକ୍ତବ୍ୟରେ “ସେବା, ତ୍ୟାଗ ଓ ସମର୍ପଣ ଭାବନା ହିଁ ଜଣେ ଛାତ୍ର ପ୍ରତିନିଧିର ବାସ୍ତବ ପ୍ରତିଫଳନ” ବୋଲି କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥତିରେ ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ । ଏକାଦଶ ଶ୍ରେଣୀର କ୍ରିସାଙ୍ଗ ପଲେଇ ଲିଡ଼ର ଏବଂ ଆଫ୍‌ଶୀନ୍ ନାଜ୍ ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ର ରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୭ଟି କ୍ଲବ୍‍ର ସାତ ଜଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ।

ବିଦ୍ୟାଳୟସ୍ତରୀୟ ନାନାବିଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ଳୋକ ସଦନ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବାବେଳେ ମନ୍ତ୍ର ସଦନ ରନର୍ସଅପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ସେହିପରି ଇନୋଭେସନ୍ କ୍ଲବ୍ ଚମ୍ପିଆନ୍ ହୋଇଥିବା ବେଳେ ରିଡରସ୍ କ୍ଲବ୍ ରନର୍ସଅପ୍ ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ପରିଶେଷରେ ବିଦ୍ୟାଳୟ କ୍ୟାବିନେଟ୍‌ର ସଂଯୋଜିକା ଶିକ୍ଷୟିତ୍ରୀ ରାଜଶ୍ରୀ ତରଙ୍ଗିଣୀ କାର୍ଯ୍ୟକ୍ରମର ସାଫଲ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.