ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀରେ ଏବେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ରାଜନୀତି ଜୋରଦାର ହୋଇଛି । ଏହାରି ଭିତରେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫକୁ ନେଇ ଦିଲ୍ଲୀ ପୋଲିସ ସୂତ୍ରରୁ ବଡ ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦିଲ୍ଲୀ ପୋଲିସ ସୂତ୍ର କହିଛି କି, ‘ଏପର୍ୟ୍ୟନ୍ତ ଆମକୁ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ପର୍ୟ୍ୟାପ୍ତ ପ୍ରମାଣ ମିଳିନାହିଁ’ । ଏହାସହ ଦିଲ୍ଲୀ ପୋଲିସ କହିଛି କି, ଆଗାମୀ ୧୫ ଦିନ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରାଯିବ । ଏହି ଚାର୍ଜସିଟ୍ ଅନ୍ତିମ ଚାର୍ଜସିଟ୍ ହୋଇପାରେ ବୋଲି କୁହାଯାଇଛି । ଏହାସହ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ଦାବିକୁ ପ୍ରମାଣିତ କରିବାକୁ କୌଣସି ସହାୟକ ପ୍ରମାଣ ନଥିବା କଥା ଦିଲ୍ଲୀ ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଏହା ବ୍ୟତୀତ ଦିଲ୍ଲୀ ପୋଲିସର ସୂତ୍ର ସୂଚନା ମୁତାବକ ପ୍ରାଥମିକ ଅଭିଯୋଗରେ ଦର୍ଶାଯାଇଥିବା ପୋକ୍ସୋ ଧାରା ଅନୁଯାୟୀ ଦଣ୍ଡ ୭ବର୍ଷରୁ କମ୍ । ଏହି କାରଣରୁ ଅଭିଯୁକ୍ତଙ୍କ ଦାବି ଅନୁଯାୟୀ ତଦନ୍ତକାରୀ ଅଧିକାରୀ ତାଙ୍କୁ ଗିରଫ କରିପାରିବେ ନାହିଁ । ସେହିଭଳି ଅଭିଯୁକ୍ତ ନା ସାକ୍ଷୀଙ୍କୁ ପ୍ରଭାବିତ କରୁଛନ୍ତି ନା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ପୋଲିସରୁ ସୂତ୍ର ସୂଚନା ରହିଛି ।