କ୍ଷମା ପ୍ରାର୍ଥନା ବିଚାରକୁ ବିଳମ୍ବ କଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ଅଦାଲତ ଅବମାନନା ଅଭିଯୋଗ ଉପରେ ଆଇନଜୀବୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ନିବେଦନର ଶୁଣାଣିକୁ ବିଳମ୍ବ କରିଛନ୍ତି ସୁପ୍ରିମକୋର୍ଟ। ଆଜି ଏହା ଉପରେ କଡ଼ା ଟିପ୍ପଣୀ କରିଛନ୍ତି ମାମଲାର ବିଚାର କରୁଥିବା ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ବିଚାରପତି ଜଷ୍ଟିସ ସଂଜୟ କିଷନ କୌଲ ଏବଂ ବିଚାରପତି ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯେହେତୁ ଆମେ ପ୍ରୋସିଡିଂକୁ ବନ୍ଦ କରୁନାହୁଁ, ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଆବେଦନକୁ ବର୍ତ୍ତମାନ ବିଚାର କରିବା ଖୁବ୍ ଜଲଦି ହେବ। ଅଦାଲତ ଅବମାନନା ଅଭିଯୋଗକୁ ନେଇ କୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ପରିପ୍ରେକ୍ଷୀରେ ଆଜିର ଶୁଣାଣି ସମୟରେ କିଛି ଆଇନଜୀବୀ ବ୍ୟକ୍ତିଗତଭାବେ ଏବଂ କିଛି ଆଇନଜୀବୀ ଓକିଲମାନଙ୍କ ଜରିଆରେ କୋର୍ଟ ରୁମ୍ରେ ଉପସ୍ଥିତ ଥିଲେ।
ଖଣ୍ଡପୀଠ କହିଥିଲେ ଯେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଆବେଦନ ଦାଖଲ ହୋଇଥିବା ଆମ ନଜରକୁ ଆସିଛି। ଏହାକୁ ଦେଖିବାକୁ ପଡ଼ିବ, ବାସ୍ତବରେ କ୍ଷମା ପ୍ରାର୍ଥନା ହୃଦୟରୁ ଆସିଛି ନା ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଆସିଛି। ବର୍ତ୍ତମାନ ସମୟରେ ଅଦାଲତ ଅବମାନନା ଆପଣଙ୍କ ମୁଣ୍ଡ ଉପରେ ଝୁଲି ରହିବ। ଆମେ ଏହା ସ୍ପଷ୍ଟ କହିଦେଉଛୁ ଯେ ଆମେ ଅବମାନନାରୁ ଆଶ୍ବସ୍ତି ଦେବୁ ନାହିଁ। ଦେଖିବାକୁ ପଡ଼ିବ ଆପଣମାନେ କିଭଳି ବ୍ୟବହାର କରୁଛନ୍ତି, ଯାହା କି କ୍ରମାଗତ ଆଚରଣରେ ପ୍ରତିଫଳିତ ହେବ।