ନୂଆଦିଲ୍ଲୀ(ଆମ ଟିଭି): ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ରୁ ଆରମ୍ଭ ହୋଇଛି । ୧୪ ସେପ୍ଟେମ୍ବରରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ୍ ଚାଲିବା ଉଚିତ । ଏସିଆ କପରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ବାତିଲ ପାଇଁ ସୁପ୍ରିମକୋର୍ଟରେ ଦାଖଲ ପିଆଇଏଲର ଜରୁରୀ ଶୁଣାଣି ପାଇଁ ଆବେଦନକୁ ଅଗ୍ରାହ୍ୟ କରିବା ସହ ଏହି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ ଜେ କେ ମହେଶ୍ୱରୀ ଏବଂ ଜଷ୍ଟିସ ବିଜୟ ବିଷ୍ଣୋୟୀଙ୍କ ବେଞ୍ଚ ନିକଟକୁ ଏହି ମାମଲା ଶୁଣାଣି ପାଇଁ ଆସିଥିଲା । ମ୍ୟାଚ୍ ରବିବାର ଥିବାରୁ ଆବେଦନକାରୀ ଶୁକ୍ରବାର ଏହି ପିଆଇଏଲର ଶୁଣାଣି ପାଇଁ ଆବେଦନ କରିଥିଲେ । ଯୁକ୍ତି ଥିଲା, ମ୍ୟାଚ୍ ରବିବାର ପାଇଁ ସ୍ଥିର ହୋଇଛି । ତୁରନ୍ତ ଶୁଣାଣି ନ ହେଲେ ଆବେଦନ ନିରର୍ଥକ ହୋଇଯିବ। କିନ୍ତୁ କୋର୍ଟ୍ ତାହାକୁ ଅସ୍ୱୀକାର କରିଛନ୍ତି । କୋର୍ଟ କହିଛନ୍ତି, ଏତେ ଜରୁରୀ କାହିଁକି । ଏହା ମାତ୍ର ଏକ ମ୍ୟାଚ୍, ହେବାକୁ ଦିଅ । ମ୍ୟାଚ୍ ରବିବାର, ଆମେ କ’ଣ କରିପାରିବୁ ? ମ୍ୟାଚ୍ ଚାଲିବା ଉଚିତ ।
୪ ଜଣ ଆଇନ୍ ଛାତ୍ରଛାତ୍ରୀ ମ୍ୟାଚ୍ ବାତିଲ ପାଇଁ ପିଆଇଏଲ ଦାଖଲ କରିଥିଲେ । ସେମାନଙ୍କ ଦାବି ଥିଲା, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ଏବଂ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ତେଣୁ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଆୟୋଜନ “ରାଷ୍ଟ୍ରୀୟ ସମ୍ମାନ, ସୁରକ୍ଷା ଏବଂ ଜନଭାବନାକୁ” ଆଘାତ କରିବ । ଆବେଦନକାରୀଙ୍କ ଯୁକ୍ତି କ୍ରିକେଟକୁ କେବେ ବି ରାଷ୍ଟ୍ରୀୟ ସ୍ୱାର୍ଥ, ନାଗରିକଙ୍କ ଜୀବନ ବା ସେନାଙ୍କ ବଳିଦାନରୁ ଉପରେ ରଖାଯାଇପାରିବ ନାହିଁ । କେବଳ ସେତିକି ନୁହଁ, ଜାତୀୟ କ୍ରୀଡ଼ା ଆଇନ କାର୍ଯ୍ୟକାରୀ ବିସିସିଆଇ ପରି ସଂଗଠନକୁ ଜାତୀୟ କ୍ରୀଡ଼ା ମହାସଂଘ ଅଧୀନରେ ଆଣିବାକୁ ଦାବି ହୋଇଛି।
ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରିକେଟ୍ ମ୍ୟାଚ୍ ବନ୍ଦ ରହିଛି । କିନ୍ତୁ ଏସିଆ କପ ପରି ବହୁପକ୍ଷୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଭାରତ ସରକାରଙ୍କ ଅନୁମତି ରହିଛି । ଏସିଆ କପ୍ ୨୦୨୫ ଦୁବାଇ ଏବଂ ଆବୁଧାବିରେ ଆୟୋଜିତ ହେଉଛି ।