ଭୁବନେଶ୍ୱର (ଆମ ଟିଭି): ଶେଷରେ କଂଗ୍ରେସରୁ ବିଦା ହେଲେ ମନ୍ମଥ ରାଉତରାୟ । ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ହେଉଛନ୍ତି ମନ୍ମଥ । କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ଉପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଂଗ୍ରେସର ସଦସ୍ୟ ଥାଇ ସୁଦ୍ଧା ଦଳରେ ନଥିବା ନେଇ ବୟାନ ରଖିଥିଲେ ମନ୍ମଥ । ଯାହାକୁ ନେଇ ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ଏହାର ଉତ୍ତର ନରଖିବାରୁ ମନ୍ମଥଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଇଛି କଂଗ୍ରେସର ଶୃଙ୍ଖଳା କମିଟି ।
ଏହାପୂର୍ବରୁ ଗତକାଲି ମନ୍ମଥଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଧାୟକ ବାପା ସୁର ରାଉତରାୟ କହିଥିଲେ, ଦଳରେ ଶୃଙ୍ଖଳା ହିଁ ସବୁକିଛି । ଦଳରେ ଯିଏ ଶୃଙ୍ଖଳା ଭଙ୍ଗ କରିବ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ । ମୋ ପୁଅ ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଗଲେ କୌଣସି ଆପତ୍ତି ନଥିବା କହିଥିଲେ ସୁର । ଏପରିକି ଦଳର ପ୍ରଭାରୀ ଯେତେବେଳେ ଏନେଇ ଆଲୋଚନା କରିଥିଲେ ସେତେବେଳେ ମଧ୍ୟ ପୁଅ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ ସୁର ରାଉତରାୟ ।