ପାକିସ୍ତାନକୁ କବ୍ଚାକୁ ନେବାକୁ ଯୋଜନା କରୁଛି ତାଲିବାନ
ଇସଲାମାବାଦ (ଆମ ଟିଭି): ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାସହ ଅନ୍ୟପଟେ ପାକିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ବିଭିନ୍ନ ସ୍ଥାନରେ ନିୟମିତ ହିଂସାକାଣ୍ଡ ଘଟାଇ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି। ଗୋଟିଏ ପଟେ ପାକିସ୍ତାନ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ ତାଲିବାନଙ୍କ ଆତଙ୍କ ଦେଶବାସୀଙ୍କୁ ଅତିଷ୍ଠ କରିଛି। ପାକିସ୍ତାନରେ ଆତଙ୍କ ଘଟାଇ ଚାଲିଥିବା ତାଲିବାନ ସଂଗଠନ (ଟିଟିପି) ନାମରେ ପରିଚିତ। ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସଂଗଠନର ଏହା ହେଉଛି ଏକ ଶାଖା। ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନମାନେ ଏବେ ପାକିସ୍ତାନକୁ ଅଧିକାର କରିବାର ଯୋଜନା କରିଛନ୍ତି। ଏଥିପାଇଁ ଅଧିକରୁ ଅଧିକ ସଂଖ୍ୟକ ତାଲିବାନ ଆତଙ୍କବାଦୀ ପାକିସ୍ତାନ ସୀମାକୁ ଅନୁପ୍ରବେଶ କରିବାରେ ଲାଗିଛନ୍ତି। ଅସ୍ତ୍ରଶସ୍ତ୍ର ସହିତ ତାଲିବାନ ଆତଙ୍କବାଦୀଙ୍କ ଅନୁପ୍ରବେଶର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।
ଆଫଗାନିସ୍ତାନରୁ ଶହଶହ ତାଲିବାନ ଆତଙ୍କବାଦୀ ପାକିସ୍ତାନ ସୀମାକୁ ଅନୁପ୍ରବେଶ କରିବାରେ ଲାଗିଛନ୍ତି। ସେମାନେ ନିଜକୁ ତେହରିକ ଇ ତାଲିବାନ ପାକିସ୍ତାନର ସଂଗ୍ରାମୀ ବୋଲି ଘୋଷଣା କରିଛନ୍ତି। ତାଲିବାନ ସଂଗଠନ କହିଛି ଯେ ପାକିସ୍ତାନ ଏବେ ଆଲ୍ଲାଙ୍କ ଶାସନକୁ ଆଉ ଅନୁସରଣ କରୁ ନାହିଁ। ତେଣୁ ପାକିସ୍ତାନକୁ ଅକ୍ତିଆର କରି ଏଠାରେ ଆଲ୍ଲାଙ୍କ ଶାସନ ପ୍ରତିଷ୍ଠା କରିବାକୁ ତାଲିବାନ ଯୋଜନା କରିଛି। ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ପାକିସ୍ତାନ ସରକାର ଶାନ୍ତି କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛି। ମାତ୍ର ତାଲିବାନ କହିଛି ଯେ ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଏହାର ସଦସ୍ୟଙ୍କୁ ମୁକ୍ତ କରାଯିବା ପରେ ଶାନ୍ତି ଆଲୋଚନା କରାଯିବ।