ତାଲିବାନର ନୂତନ ଆଇନ: ଫେରିବ ଦାସତ୍ୱ, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ
ତାଲିବାନ ଆଫଗାନିସ୍ତାନରେ ଏହାର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଫୌଜଦାରୀ ପ୍ରକ୍ରିୟା ସଂହିତା ଏକ ଶ୍ରେଣୀ-ଭିତ୍ତିକ ନ୍ୟାୟ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା କରିଛି। ଏହା ମାନବାଧିକାର ସଂଗଠନ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଦେଶର ଆଇନଗତ ଓ ରାଜନୈତିକ ବ୍ୟବସ୍ଥାର ଦିଗ ଉପରେ ଆନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି ପାଇଛି। ୪ ଜାନୁଆରି ୨୦୨୬ରେ ଜାରି ହୋଇଥିବା ଏହି ନୂଆ ଆଇନ ସାରା ଦେଶର କୋର୍ଟଗୁଡ଼ିକୁ ପଠାଇ ଦିଆଯାଇଛି। ନୂତନ ସଂହିତାକୁ ଆଫଗାନ ମାନବାଧିକାର ସଂଗଠନ ରାୱାଦାରୀ ପକ୍ଷରୁ ବିରୋଧ କରାଯାଇଛି। ଏହି ସଂଗଠନ ଆଇନ ଉଲ୍ଲଂଘନ ଉପରେ ନଜର ରଖିଥାଏ। ଏହି ଡକ୍ୟୁମେଣ୍ଟର ତିନୋଟି ବିଭାଗ ଓ ୧୦ ଅଧ୍ୟାୟରେ ୧୧୯ ପ୍ରବନ୍ଧ ରହିଛି। ସମାଲୋଚକମାନେ କହିଛନ୍ତି ଯେ, ଏହାର ସବୁଠାରୁ ଚିନ୍ତାଜନକ ବୈଶିଷ୍ଟ୍ୟ ମଧ୍ୟରୁ ଗୋଟିଏ ହେଉଛି ନ୍ୟାୟ ବ୍ୟବସ୍ଥା ମଧ୍ୟରେ ସାମାଜିକ ପଦାନୁକ୍ରମର ସ୍ପଷ୍ଟ ଆଇନକରଣ।
ସମାଜ ଚାରି ବର୍ଗରେ ବିଭକ୍ତ
ବିବାଦର କେନ୍ଦ୍ରରେ ଧାରା ୯ ରହିଛି। ଏହି ଧାରା ଆଫଗାନ ସମାଜକୁ ଚାରୋଟି ବର୍ଗରେ ବିଭକ୍ତ କରୁଛି। ସେସବୁ ବର୍ଗ ମଧ୍ୟରେ ଧାର୍ମିକ ବିଦ୍ୱାନ (ଉଲମା କିମ୍ବା ମୁଲ୍ଲା), କ୍ଷମତାଶାଳୀ(ଅଶ୍ରଫ), ମଧ୍ୟବିତ୍ତ ବର୍ଗ ଓ ନିମ୍ନ ବର୍ଗ। ଏହି ବ୍ୟବସ୍ଥା ଅନୁଯାୟୀ, ସମାନ ଅପରାଧ ପାଇଁ ଦଣ୍ଡ ଆଉ ମୁଖ୍ୟତଃ ଅପରାଧର ପ୍ରକୃତି କିମ୍ବା ଗୁରୁତ୍ୱ ଦ୍ୱାରା ନିର୍ଣ୍ଣୟ କରାଯିବ ନାହିଁ ବରଂ ଅଭିଯୁକ୍ତଙ୍କର ସାମାଜିକ ସ୍ଥିତି ଦ୍ୱାରା ନିର୍ଣ୍ଣୟ କରାଯିବ। ଯାହାକି ପୁରାତନ ସମୟରେ ପ୍ରଚଳିତ ଥିଲା। ଆର୍ଥାତ୍ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିକୁ ଗ୍ରହଣ କରାଯିବ।