ବିଜେଡ଼ି ନେତାଙ୍କୁ ଟାର୍ଗେଟ କରି ଏମିତି କହିଲେ କଂଗ୍ରେସ ପ୍ରଭାରୀ

0

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଲେ ବିରୋଧୀ। କଂଗ୍ରେସ ପ୍ରଭାରୀ ଚେଲା କୁମାର ଓ ବିଜେପି ନେତା ପ୍ରଦୀପ ପୁରୋହିତ ବିଜେଡି ନେତାମାନଙ୍କୁ ସତର୍କ କରିଲା ଭଳି ମତ ରଖିଛନ୍ତି। ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ ସତର୍କବାଣୀ ଶୁଣାଇଛନ୍ତି କଂଗ୍ରେସ ପ୍ରଭାରୀ ଚେଲା କୁମାର।

ଚେଲା କୁମାର କହିଛନ୍ତି, ନବ ଦାସଙ୍କ ଭଳି ଅବସ୍ଥା ଅନ୍ୟ ନେତାମାନଙ୍କର ହୋଇପାରେ। ଆଜି ନବ ତ କାଲି ଆଉ କିଏ। ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଆଶା ରଖିଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ହଟାଇବାକୁ ବିଜେଡିର ଦ୍ୱିତୀୟ ଓ ତୃତୀୟ ରାଙ୍କ ନେତାଙ୍କ ଏହା ଚାଲ୍ ମଧ୍ୟ ହୋଇପାରେ। ବିଜେଡିରେ ବେଶି ପାଟି ଫିଟାଉଥିବା ନେତାଙ୍କୁ ଏହା ସତର୍କ ସୂଚନା । ଯେଉଁମାନେ ଦଳରେ ରହି ସତକୁ ସାମ୍ନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି, ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି ବୋଲି ଚେଲା କୁମାର କହିଛନ୍ତି।

ଚେଲା କୁମାର ଆହୁରି କହିଛନ୍ତି, ଏଠି ସରକାର କାମ କରୁନି। ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ନବଙ୍କୁ ଜଣେ ଏଏସ୍‌ଆଇ ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଷଡ଼ଯନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ, ଉତ୍ତର ଦେବା। ପୁଲିସ ଓ କ୍ରାଇମବ୍ରାଂଚ ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ପରି ଓ ମମତା ମେହେର ମାମଲାରେ ବିଜେଡି ସରକାର କ’ଣ କରିଛି ବୋଲି ଚେଲା କୁମାର କହିଛନ୍ତି। ରାଜ୍ୟରେ ବିଜେଡ଼ି ଗୁଣ୍ଡାରାଜ ଚଲେଇଛି। କୋଟେରି ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ଖେଳାଉଛି। ଓଡ଼ିଶା ସରକାରରେ ଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏହି ଘଟଣା ନେଇ ସରକାରଙ୍କୁ କରିଥିବା ପ୍ରଶ୍ନର ଉତ୍ତର ବିଜେଡି ଦେଇପାରୁନି। ଆସନ୍ତା ବିଧାନସଭାରେ ଆଇନ ଶୃଙ୍ଖଳା, ନବ ଦାସ ହତ୍ୟା, ଚାଷୀ, ଦୁର୍ନୀତି, ଚିଟ୍ ଫଣ୍ଡ, ମାଇନିଂ ସ୍କାମ ପ୍ରସଙ୍ଗ ଉଠାଇବ ଦଳ ବୋଲି ଚେଲା କୁମାର କହିଛନ୍ତି।

Leave A Reply

Your email address will not be published.