ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ତରୁଣ ପାଣ୍ଡେଙ୍କୁ ଏଠାରୁ ପ୍ରାର୍ଥୀ କରିଛି କଂଗ୍ରେସ। ତରୁଣଙ୍କ ନାଁ ଘୋଷଣା କରିଛି ଏଆଇସିସି। ସେ ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ।
ତରୁଣଙ୍କ ବାପା ସ୍ୱର୍ଗତଃ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ୧୯୮୦, ୧୯୮୫ ଓ ୧୯୯୫ରେ କଂଗ୍ରସ ଟିକେଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଏନେଇ ତରୁଣ କହିଛନ୍ତି, ନିର୍ବାଚନ ନେଇ ମୋର ଅନୁଭୂତି ରହିଛି ବାପାଙ୍କ ନିର୍ବାଚନରେ କାମ କରିଛି। ଝାରସୁଗୁଡ଼ାରେ ସୃଷ୍ଟି ହୋଇଥିବା ପ୍ରଦୂଷଣ, ବେକାରୀ ସମସ୍ୟା, ଆଇନଶୃଙ୍ଖଳା ଅଣାୟତ ସ୍ଥିତିକୁ ପ୍ରସଙ୍ଗ କରାଯିବ। ଭୋଟରଙ୍କୁ ଏହି ସମସ୍ୟା ସମାଧାନ କରିବାକୁ କଂଗ୍ରେସ ଆଲୋଚନା ବେଳେ କହିଛି। ତେଣୁ କଂଗ୍ରେସ ଏଠାରୁ ଜିତିବ। କଂଗ୍ରେସକୁ ନିରାଶ କରିବିନି। ନବ ଦାସ କଂଗ୍ରେସରୁ ବିଜେଡିକୁ ଯିବା ବେଳେ କଂଗ୍ରେସରୁ ଯାଇଥିବା ସମର୍ଥକ ଓ କର୍ମୀମାନେ ପୁଣି ଫେରିଛନ୍ତି। କାରଣ ନବ ଦାସଙ୍କ ଦେହାନ୍ତ ହୋଇଯାଇଛି। ତେଣୁ କଂଗ୍ରେସ ଜିତିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। କଂଗ୍ରସ ଦଳରୁ ଯିଏ ବି ଟିକେଟ ପାଇବ ମିଳିମିଶି ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହୋଇସାରିଛି। ତେଣୁ ଦଳରେ କୌଣସି କନ୍ଦଳ ନାହିଁ। ବିଜେଡି ସହ କଂଗ୍ରେସର ସିଧାସଳଖ ଟକ୍କର ହେବ। ବିଜେଡି କଳବଳ ଓ ଅର୍ଥ ଲଗାଇ ଏଠାରୁ ଜିତିବାକୁ ଚେଷ୍ଟା କରିବ। ଯାହାକୁ ପ୍ରତିହତ କରିବାକୁ କଂଗ୍ରେସ ନିଜର ଯୋଜନାକୁ ରୂପ ଦେଇ ସାରିଛି ବୋଲି ତରୁଣ କହିଛନ୍ତି।
ତେବେ ତରୁଣଙ୍କ ନାଁ ଘୋଷଣା ହେବା ପରେ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ଅନ୍ୟମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ଆଶାୟୀଙ୍କ ମଧ୍ୟରେ ମହେନ୍ଦ୍ର ନାୟକ, ଜିଲ୍ଲା ସଭାପତି ଅଶୋକ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳଙ୍କ ନାଁ ଥିବା ଆଲୋଚନା ହେଉଥିଲା। ହେଲେ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ତରୁଣ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ନବ ଦାସଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ଝିଅ ଦୀପାଳି ସିମ୍ପାଥି ଭୋଟ ପାଇବେ ବୋଲି ଆଶା କରାଯାଉଥିବା ବେଳେ ତରୁଣ ମଧ୍ୟ ତାଙ୍କ ବାପାଙ୍କ ପରେ ସିମ୍ପାଥି ଭୋଟ ପାଇବେ ବୋଲି କୁହାଯାଉଛି। ତେବେ ଭୋଟ ପରେ ସ୍ଥିତି ସ୍ପଷ୍ଟ ହେବ।