ଭୁବନେଶ୍ୱର (ଆମ ଟିଭି): ଟାଟା ପାୱାର ଉପରେ ବର୍ଷିଲେ ପ୍ରଦୀପ ଜେନା । ଟାଟା ପାୱାର ମନ୍ଥର କାର୍ୟ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଦୀର୍ଘ ୩ ଘଣ୍ଟା ଧରି ବିଦ୍ୟୁତ ଠପ ହୋଇଯିବା ପରେ ଶକ୍ତି ବିଭାଗ ଟ୍ୱିଟ୍ କରି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ଟିପିସିଏଲକୁ ନିର୍ଦ୍ଦେଶ ଦେଇଥିଲା । ଭୁବନେଶ୍ୱରରେ ଟାଟା ପାୱାରର ମନ୍ଥର କାର୍ୟ୍ୟକୁ ନେଇଟ୍ୱିଟ୍ କରି ଖୋଲାଖାଲି ଅସନ୍ତୋଷ ଜାହିର କରିଛନ୍ତି । କହିଛନ୍ତି, କାଳବୈଶାଖୀ ପରେ ଏମିତି ମନ୍ଥର ହେଲେ, ବାତ୍ୟା ପରିସ୍ଥିତିରେ କଣ ହେବ।
ଏଭଳି ମନ୍ଥର କାମକୁ ଲୋକେ ପ୍ରଶଂସା କରିବେନି ବୋଲି ମଧ୍ୟ ରୋକ୍ ଠୋକ୍ ଶୁଣାଇଛନ୍ତି ମୁଖ୍ୟ ଶାସନ ସଚିବ। ଗତକାଲି ଭୁବନେଶ୍ୱରରେ କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଥିଲା । ରାଜଧାନୀରେ ଅଧଘଣ୍ଟା ଧରି ତାଣ୍ଡବ ରଚିଥିଲା କାଳବୈଶାଖୀ । ଫଳରେ କେଉଁଠି ଭାଙ୍ଗିପଡ଼ିଥିଲା ବିରାଟକାୟ ଗଛ ତ ଆଉ କେଉଁଠି ବର୍ଷା ମାଡ଼ରେ ଉବୁଟୁବୁ ଅବସ୍ଥା। ଫଳରେ ଲୋକେ ହଇରାଣ ହୋଇଥିଲେ ।