ନୂଆଦିଲ୍ଲୀ (ଆମ ଟିଭି ): ଅଧାରେ ରହିଗଲା ଟିମ୍ ଇଣ୍ଡିଆ ର ବିଶ୍ବକପ୍ ସ୍ବପ୍ନ । ଫାଇନାଲ ଫାଇଟରେ ଫେଲ୍ ମାରିଲା ଭାରତ । ପୁଣିଥରେ ବିଶ୍ୱ ବିଜୟୀ ହେଲା ଅଷ୍ଟ୍ରେଲିଆ । ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପ୍ ହାସଲ କଲା କଙ୍ଗାରୁ ଦଳ । ୨୦ ବର୍ଷ ପରେ ୨୦୦୩ ପରାଜୟର ପ୍ରତିଶୋଧ ପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଧୁଳିସାତ ହୋଇ ଯାଇଛି । ଏଥିସହ ତୃତୀୟ ଥର ପାଇଁ ଭାରତର ବିଶ୍ୱକପ୍ ବିଜୟ ସ୍ୱପ୍ନ ଅଧୁରା ରହିଯାଇଛି । ୬ ୱିକେଟ୍ରେ ଟିମ୍ ଇଣ୍ଡିଆକୁ ହରାଇ ଦେଇଛି ଅଷ୍ଟ୍ରେଲିଆ । ନିରାଶ ହୋଇଯାଇଛନ୍ତି ଭାରତର କୋଟି କୋଟି ପ୍ରଶଂସକ । ଯେଉଁ ଦମ୍ରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିଲା ଭାରତ, ଶେଷରେ ତାହା ନୈରାଶ୍ୟଜନକ ଭାବେ ଶେଷ ହୋଇଛି । ୨୪୧ ରନ୍ ଟାର୍ଗେଟକୁ ପିଛା କରିଥିଲା ଅଷ୍ଟ୍ରେଲିଆ । ୪୩ ଓଭରରେ ମାତ୍ର ୪ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି କଙ୍ଗାରୁ ଦଳ । ଚଳିତ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା, ତାହା ଫଳ ଭୋଗିଛି ରୋହିତ ବାହିନୀ ।
ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ, ସବୁ ବିଭାଗରେ ଭାରତ ଠାରୁ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା ପ୍ୟାଟ୍ କମିନ୍ସଙ୍କ ଦଳ । ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ପରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଷ୍ଟ୍ରେଲିଆର ଦଳୀୟ ସ୍କୋର ୪୭ ରନ୍ ଥିବା ବେଳେ ୩ ୱିକେଟ୍ ହରାଇଥିଲା । ଯଶପ୍ରୀତ ବୁମରା ୨ଟି ୱିକେଟ୍ ଓ ମହମ୍ମଦ ସାମି ଗୋଟିଏ ୱିକେଟ୍ ନେବା ପରେ ବ୍ୟାକ୍ଫୁଟକୁ ଚାଲି ଯାଇଥିଲା କଙ୍ଗାରୁ ଦଳ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ୍ ଲାବୁସେନ୍ଙ୍କ ଯୋଡି ପାଳି ସମ୍ଭାଳିବା ସହ ଦଳକୁ ବିଜୟୀ କରାଇଥିଲେ ।