ନୂଆଦିଲ୍ଲୀ (ଆମ ଟିଭି): ଦେଶ ପାଳନ କରିବାକୁ ଯାଉଛି ୭୫ତମ ସ୍ୱାଧୀନତା ଦିବସ । ଏହାକୁ ନେଇ ସାରା ଦେଶ ଉତ୍ସବମୁଖର । ସେପଟେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଗୁଇନ୍ଦା ଏଜେନ୍ସି ଏ ନେଇ ଆଲର୍ଟ ଜାରି କରିଛି। ଏଜେନ୍ସି ମୁତାବକ, ଡ୍ରୋନ୍ ଜରିଆରେ ଦେଶକୁ ବିସ୍ଫୋରକ ଅଣାଯାଇଛି। ଏହି ବିସ୍ଫୋରକଗୁଡ଼ିକୁ ଦେଶର ଅଲଗା ଅଲଗା ସହରକୁ ପଠାଯାଇଛି। ଏ ସବୁ ପାକିସ୍ତାନ ସୀମାରୁ ପଞ୍ଜାବ ରାସ୍ତା ଦେଇ ଆସିଛି।
ଗୁଇନ୍ଦା ଏଜେନ୍ସି ଅନୁସାରେ, କିଛି ଦିନ ପୂର୍ବେ ଦେଶର ବିଭିନ୍ନ ସ୍ଥାନରୁ ଧରାଯାଇଥିବା ଆତଙ୍କବାଦୀମାନେ ଏହି କଥାର ଖୁଲାସା କରିଛନ୍ତି। ପାକିସ୍ତାନରୁ ଡ୍ରୋନ୍ ଜରିଆରେ ଭାରତକୁ ଅଣାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ମଧ୍ୟରେ ପିସ୍ତଲ, ହ୍ୟାଣ୍ଡ୍ ଗ୍ରେନେଡ୍, ଏକେ-୪୭ଆଦି ସାମିଲ ରହିଛି। ଗୁଇନ୍ଦା ଏଜେନ୍ସି ସତର୍କତା ଜାରି କରି କହିଛି ଯେ ଅଗଷ୍ଟ ୧୫ ଦିନ ଦେଶର ଅନେକ ଜାଗାରେ ଆତଙ୍କବାଦୀମାନେ ଲୋନ୍ ଉଲ୍ଫ ଆଟାକ୍ କରି ପାରନ୍ତି। କୌଣସି ଏକୁଟିଆ ବ୍ୟକ୍ତି ତୀକ୍ଷ୍ଣ ଧାରୁଆ ଅସ୍ତ୍ର କିମ୍ବା ବଡ଼ ଗାଡ଼ି ଦ୍ୱାରା ଗହଳିରେ ଆକ୍ରମଣ କରିପାରେ।
ଆତଙ୍କବାଦୀମାନେ ଲାଲ୍କିଲ୍ଲା ଉପରେ ଆକ୍ରମଣ କରିବା ପାଇଁ ଗୁଡ଼ି କିମ୍ବା ଗୁଡ଼ି ପରି ଦିଶୁଥିବା କୌଣସି ଅନ୍ୟ ବସ୍ତୁ ବ୍ୟବହାର କରି ପାରନ୍ତି। ଏଥିପାଇଁ ଗୁଡ଼ି ଜରିଆରେ ଆକ୍ରମଣ ନେଇ ଆଲର୍ଟ ଜାରି କରାଯାଇଛି। ଏଥି ସହିତ ଲାଲ୍କିଲ୍ଲା ଆଖପାଖରେ ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯାଇ ନଜର ରଖିବାକୁ କୁହାଯାଇଛି।