ନୃତ୍ୟାୟନ ଆୟୋଜିତ ୩୩ତମ ବାର୍ଷିକ ଉତ୍ସବ “ଗୁରୁଦେବ” ଅନୁଷ୍ଠିତ*

0

ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ଓଡିଶୀ ନୃତ୍ୟନୁଷ୍ଠାନ ନୃତ୍ୟାୟନର ୩୩ତମ ବାର୍ଷିକ ଉତ୍ସବ “ଗୁରୁଦେବ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି l ଉତ୍ସବରେ ବରେଣ୍ୟ ଅତିଥିଭାବେ ଯୋଗଦେଇଥିଲେ ଶ୍ରୀଯୁକ୍ତ ସ୍ବଦେଶ କୁମାର ରାଉତରାୟ, ସଭାପତି କ୍ରେଡ଼ାଇ ଓଡିଶା, ଶ୍ରୀଯୁକ୍ତ ଅଜୟ କୁମାର ମହାପାତ୍ର, ନ୍ୟୁଟେକ ଗ୍ରାଫିକ୍ସ ଏବଂ ପ୍ରାକ୍ତନ ସଙ୍ଗୀତ ମହାବିଦ୍ୟାଳୟର ଓଡିଶୀ ନୃତ୍ୟ ଗୁରୁ ଡଃ ସ୍ନେହାପ୍ରଭା ସାମନ୍ତରାୟ l

ଉତ୍ସବର ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଇଂ ରାଧାଶ୍ୟାମ ପାତ୍ରଙ୍କ ସଭାପତିତ୍ୱରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କାରାଯାଇ ଉତ୍ସବ ଶୁଭାରମ୍ଭ ହୋଇଥିଲା l ପରେ ପରେ ନୃତ୍ୟାୟନର ଅଧ୍ୟକ୍ଷା ଶ୍ରୀମତୀ ଗାୟତ୍ରୀ ରଣବୀର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ତାଙ୍କ ପରେ କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏହାପରେ ନୃତ୍ୟାୟନର ଓଡିଶୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l

ପ୍ରଥମ ପର୍ଯ୍ୟାୟରେ ପରିବେଷଣ ହୋଇଥିଲା ଓଡିଶୀ ଦଳଗତ ନୃତ୍ୟ “ନିତ୍ୟ ଜଗନ୍ନାଥ” ଯାହା ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ବଳିଷ୍ଠ ନୃତ୍ୟ ନିର୍ଦ୍ଦେଶନାରେ ନୃତ୍ୟ ପରିବେଷଣ ଖୁବ ଉଚ୍ଚକୋଟିର ଥିଲା l ଏହା ପରେ ଛାତ୍ରଛାତ୍ରୀମାନେ ଭିନ୍ନ ଭିନ୍ନ ରୁଚିର ଓଡିଶୀ ନୃତ୍ୟ ଶ୍ରୀରାମ ବନ୍ଦନା, ଗୁରୁ ବନ୍ଦନା, ଗୋବିନ୍ଦ ଦାମୋଦର ସ୍ତୋତ୍ରମ, ଜୟଦେବୀ ଜନ୍ମ ଭୂମି ଏବଂ ଭଗବତୀ ଅଷ୍ଟକମ ଆଦି ଦଳଗତ ନୃତ୍ୟ ପରିବେଷଣ କରିଥିଲେ l ସମସ୍ତ ନୃତ୍ୟ ପରିବେଷଣ ଅତ୍ୟନ୍ତ ନିଖୁଣ ଓ ମନମୁଗ୍ଧକର ହୋଇଥିଲା l ଓଡିଶୀ ନୃତ୍ୟ ପରେ ପରେ କୁନି କୁନି ଶିଳ୍ପୀ ମାନଙ୍କ ଦ୍ୱାରା ପରିବେଶିତ ହୋଇଥିଲା ଓଡିଶାର ବିଭିନ୍ନ ଲୋକନୃତ୍ୟ l ନୃତ୍ୟ ଓ ସଂଗୀତର ତାଳେ ତାଳେ ବିମୋହିତ ଦର୍ଶକମାନେ କରତାଳି ମାଧ୍ୟମରେ କୁନି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ପରିଶେଷରେ ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀର ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ଏବଂ ଫଳକ ପ୍ରଦାନ କରିଥିଲେ l ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ହାତରେ ଗଢ଼ା ହୋଇଥିବା ବରିଷ୍ଠ ଛାତ୍ରଛାତ୍ରୀ ଗାୟତ୍ରୀ ରଣବୀର, ମନୋଜ ପ୍ରଧାନ, ନୀଳାଦ୍ରି ମହାନ୍ତି, ଶ୍ରଦ୍ଧାଞ୍ଜଳି ରାୱଲ, ସୌରଭ ମହାନ୍ତି, କୁନୁ ମହାରଣା, ମେଘନା ମହାନ୍ତି, ରୋହିଣୀ ସାମଲ ଏବଂ ଭିଦିଶା ବସୁମଲ୍ଲିକଙ୍କ ପ୍ରଶିକ୍ଷଣରେ ଚଳିତ ବର୍ଷ ମୋଟ ୧୪ଟି ନୃତ୍ୟ ପରିବେଷଣ ହୋଇଥିଲା l ପ୍ରାୟ ଏକ ଶହ ପଚାଶ ଜଣ ଛାତ୍ରଛାତ୍ରୀ ବାର୍ଷିକ ଉତ୍ସବରେ ନୃତ୍ୟ ପରିବେଷଣ କରିଥିଲେ l

ଉତ୍ସବକୁ ସଫଳ କରିବା ନିମନ୍ତେ ଉପ ସଭାପତି ଶ୍ରୀମତୀ ଆରତୀ ରଣବୀର, ସହ ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ଅସିତ ବସୁମଲ୍ଲିକ, କାର୍ଯ୍ୟକାରୀ ସଦସ୍ୟ ଅର୍ଜୁନ ମୁଦୁଲି, ଶେଷଦେବ ସାମଲ, ଖଗେଶ୍ୱର ଜୟପୁରିଆ, ସୁଧାଂଶୁ ଶେଖର ସାହୁ ଏବଂ ଶ୍ରୀମତୀ ଶିବାନୀ ପାତ୍ର ପ୍ରମୁଖଙ୍କର ସହଯୋଗ ଏବଂ ଛାତ୍ରଛାତ୍ରୀ ତଥା ଅଭିଭାବକ, ଅଭିଭାବିକା ମାନଙ୍କ ପାଇଁ ସମ୍ଭବପର ହୋଇଥିଲା l ସର୍ବଶେଷରେ ଧୀରେନ୍ଦ୍ର ନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.