ନୃତ୍ୟାୟନ ଆୟୋଜିତ ତୃତୀୟ ମୀରା ଫେଷ୍ଟିଭାଲ ଅଫ ଡ୍ୟାନ୍ସସେସ ଉଦଯାପିତ
ଭୁବନେଶ୍ୱର (ଆମ ଟିଭି): ପଦ୍ମଶ୍ରୀ ସମ୍ମାନିତ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ନୃତ୍ୟାୟନ ନୃତ୍ୟ ଅନୁଷ୍ଠାନ ଦ୍ୱାରା “ତୃତୀୟ ମୀରା ଫେଷ୍ଟିଭାଲ ଅଫ ଡ୍ୟାନ୍ସସେସ୍” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି l ଦ୍ଵିତୀୟ ସନ୍ଧ୍ୟାରେ ପ୍ରମେୟ ଖବର କାଗଜ ଏବଂ ନ୍ୟୁଜ ୭ ର ଗ୍ରୁପ ଏଡିଟର ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାପାତ୍ର, ଜେଏସପିଏଲର ଭାଇସ ପ୍ରେସିଡେଣ୍ଟ ବିଭୁ ପ୍ରସାଦ ମିଶ୍ର, ଡାଲମିଆ ସିମେଣ୍ଟର ଆସିଷ୍ଟାଣ୍ଟ ଡାଇରେକ୍ଟର ଚନ୍ଦ୍ରଶେଖର ଜୀ ଏବଂ ମଦର୍ସ ପବ୍ଲିକ ସ୍କୁଲର ମ୍ୟାନେଜିଂ ଡାଇରେକ୍ଟର ଡଃ ମୀନତି ସାବତ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅନୁଷ୍ଠାନର ସଭାପତି ଇଂ ରାଧାଶ୍ୟାମ ପାତ୍ରଙ୍କ ସଭାପତିତ୍ତ୍ଵରେ ସଭା କାର୍ଯ୍ୟ ହୋଇଥିଲା l
ଏହି ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ନୃତ୍ୟ ସାଧନା ସମ୍ମାନ ଏବଂ ଗୁରୁ ଦୁର୍ଗା ଚରଣ ରଣବୀର ଯୁବ ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଛି l ନୂଆଦିଲ୍ଲୀର ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଶ୍ରୀମତୀ ରଞ୍ଜନା ଗୌହରଙ୍କୁ ଗୁରୁ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା ସମ୍ମାନ ଏବଂ କଲିକତାର ଭାରତନାଟ୍ୟମ ନୃତ୍ୟାଙ୍ଗନା ଡଃ ମନ୍ଦାକ୍ରାନ୍ତା ରୟଙ୍କୁ ଗୁରୁ ଦୁର୍ଗା ଚରଣ ରଣବୀର ଯୁବ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି l ଏହି ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବକୁ ପ୍ରଖ୍ୟାତ ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ l
ଦ୍ଵିତୀୟ ସନ୍ଧ୍ୟାରେ ବାଙ୍ଗାଲୋରରୁ ଆସିଥିବା ନୃତ୍ୟାଙ୍ଗନା ଶ୍ରୀମତୀ ଲିନା ମହାନ୍ତି ଏକକ ଓଡିଶୀ ନୃତ୍ୟ, ଶ୍ରୀମତୀ ସୁହାଗ ନଳିନୀ ଦାସ, ଆତ୍ରାୟୀ ଦତ୍ତ, ଭୁବନେଶ୍ୱରର ଶିଳ୍ପୀ ଦ୍ୱେତ ଓଡିଶୀ ନୃତ୍ୟ, ନୂଆଦିଲ୍ଲୀର ରୂପ ରାଣୀ ଦାସ ବୋରାହା ଏକକ କଥକ ନୃତ୍ୟ, ଉଡ୍ର ଫାଉଣ୍ଡେସନ, ଭୁବନେଶ୍ୱରର ଦଳଗତ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିପାରିଥିଲେ l ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ଗାୟତ୍ରୀ ରଣବୀର ଧନ୍ୟବାଦ ଅର୍ପଣ କରିଥିଲେ l
ଉପସଭାପତି ଶ୍ରୀମତୀ ଆରତୀ ରଣବୀର, କୋଷାଧକ୍ଷ ଧୀରେନ୍ଦ୍ର ନାଥ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅସିତ ଅସୁମଲ୍ଲିକ, କାର୍ଯ୍ୟକାରି ସମ୍ପାଦକ ସତ୍ୟଜିତ ମହାନ୍ତି, ଅଜୟ ମହାପାତ୍ର, ଅର୍ଜୁନ ମୁଦୁଲି, ଶେଷଦେବ ସାମଲ, ଖଗେଶ୍ୱର ଜୟପୁରିଆ, ରାହୁଲ ଆଚାର୍ଯ୍ୟ, ଶ୍ରଦ୍ଧାଞ୍ଜଳି ରା଼ୱଲ ପ୍ରମୁଖ ସହଯୋଗ କରିଥିଲେ l