ଗୁଜୁରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ
ଅହମ୍ମଦାବାଦ: ଆମ ଆଦମୀ ପାର୍ଟି ଗୁଜୁରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇସୁଦାନ ଗାଧ୍ବୀଙ୍କ ନାମ ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଗୁଜରାଟର ଲୋକମାନେ ସେମାନଙ୍କର ମୁଖ୍ୟମନ୍ତ୍ରୀ ବାଛିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଆମେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବା ଉଚିତ ସେନେଇ ଲୋକଙ୍କ ପରାମର୍ଶ ଲୋଡିଥିଲୁ । ଆମେ ୧୬ ଲକ୍ଷ ୪୮ ହଜାର ଲୋକଙ୍କ ପରାମର୍ଶ ପାଇଥିବାବେଳେ ଏଥିରୁ ୭୩ ପ୍ରତିଶତ ଲୋକ ଇସୁଦାନ ଗାଧ୍ବୀ ସେମାନଙ୍କର ପସନ୍ଦ ବୋଲି ପରାମର୍ଶ ଦେଇଥିଲେ |
ସୂଚନା ଥାଉ କି ଯେ ୧୦ ଜାନୁୟାରୀ ୧୯୮୨ରେ ଗୁଜୁରାଟର ପିପଲିଆରେ ଜନ୍ମଗ୍ରହଣ କରିଥିବା ଇସୁଦାନ ଗାଧ୍ବୀ ବୃତ୍ତି ଅନୁଯାୟୀ ଜଣେ ସାମ୍ବାଦିକ ହୋଇଥିବାବେଳେ ଗତବର୍ଷ ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ | ସେ ୧୪ ଜୁନ୍ ୨୦୨୧ ରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଗାଧ୍ବୀ ଖାମ୍ବଲିଆ, ଜାମନଗର ଓ ଅହମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ସେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରି କରିଛନ୍ତି।
ଟ୍ରେନି ସାମ୍ବାଦିକରୁ ସେ ଖୁବ୍ ଶୀଘ୍ର ମାତ୍ର ୩୨ ବର୍ଷ ବୟସରେ ଭିଟିଭି ନ୍ୟୁଜ୍ର ଏଡିଟର ହୋଇପାରିଥିଲେ । ୨୦୨୧ ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ ୧୪ରେ ଆପ୍ରେ ଯୋଗ ଦେଇଥିଲେ । ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା।ତେବେ ଇସୁଦାନ ଗାଧ୍ବୀଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୋୖଡରେ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କ ନାମ ମଧ୍ୟ ଆଗରେ ଥିଲା। କିନ୍ତୁ ଶେଷରେ ଗାଧ୍ବୀଙ୍କ ନାମ ଘୋଷଣା କରାଯାଇଛି |