ମାନସୀଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ
ଭୁବନେଶ୍ୱର (ଆମ ଟିଭି): ପିଲାଟି ଦିନରୁ ଅଭିନୟର ଝୁଙ୍କ ତାଙ୍କୁ ଶୁଆଇ ଦେଇନି । ବଡପରଦାରେ ଅଭିନୟ କରିବାର ସ୍ୱପ୍ନ ତାଙ୍କୁ ବାଲେଶ୍ୱରରୁ ଟାଣି ଆଣିଛି ଭୁବନେଶ୍ୱର । ଏଇ ନିକଟରେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ରିଲିଜ ହୋଇଥିବା ‘ଓଖା ଏକ୍ସପ୍ରେସ’ରେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି ବାଲେଶ୍ୱର ସୁନ୍ଦରୀ ନବାଗତା ମାନସୀ ପାଲ । ଗ୍ରାଜୁଏସନ ଶେଷ ହେବା ପରେ ସେ ଏବେ ସାମ୍ବାଦିକତା ପଢ଼ୁଛନ୍ତି । ଆଉ ତା ସହ ଜାରୀ ରହିଛି ଅଭିନୟ।
ମାନସୀଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳିଆବାଗ ଅଞ୍ଚଳରେ । ପରିବାରରେ ସମସ୍ତଙ୍କର ଅତି ଗେହ୍ଲା ସେ । ଘରେ ତାଙ୍କୁ କେଟି ନାଁରେ ଡାକନ୍ତି । ବାଲେଶ୍ୱରରେ ସ୍କୁଲ ଓ କଲେଜ ପାଠ ପଢ଼ା ସରିବା ପରେ ସାମ୍ବାଦିକତାରେ ନାଁ ଲେଖାଇ ଛନ୍ତି ମାନସୀ । ତେବେ ପିଲାଦିନୁ ନୃତ୍ୟ ଓ ଅଭିନୟ ପ୍ରତି ତାଙ୍କର ରୁଚି ରହିଥିବା ବେଳେ ଏ ଦିଗରେ ସେ ସଂଘର୍ଷ କରିଛନ୍ତି ।
ଲୋକପ୍ରିୟ ଧାରାବାହିକ ‘ତୋ ଅଗଣାର ତୁଳସୀ ମୁଁ’ରେ ପ୍ରଥମେ ନଜର ଆସିଥିଲେ ମାନସୀ। ପରେ ମ୍ୟୁଜିକ ଭିଡିଓରେ ପ୍ରଥମେ ନଜର ଆସିଲେ। ନିକଟରେ ତାଙ୍କ ଅଭିନୟ ଦେଖି ଓଖା ଏକ୍ସପ୍ରେସ ତରଫରୁ ତାଙ୍କୁ ଅଫର ମିଳିଥିଲା । ଗଂଜାମ ଓ ସୁରତ ଦାଦନ କାହାଣୀ ଉପରେ ଆଧାରିତ ଏହି ୱେବ ସିରିଜରେ ମାନସୀ ଜବରଦସ୍ତ ଅଭିନୟ କରିଛନ୍ତି । ଏହା ସହ ଅନ୍ୟତମ ମେଗା ସିରିଏଲ ‘ତୋ ପାଇଁ ମୁଁ ମୋ ପାଇଁ ତୁ ‘ ଓ ଓଡ଼ିଆ ସିନେମା ‘ପଲ ପଲ ତତେ ଚାହେଁ ‘ରେ ପୁର୍ବରୁ ଅଭିନୟ କରିଛନ୍ତି ସେ । ଏବେ ତାଙ୍କୁ ଆଉ କିଛି ପ୍ରଡକ୍ସନ ହାଉସରୁ ଅଫର ଆସୁଛି । ତେବେ ପାଠପଢ଼ା ସହ ଅଭିନୟକୁ ଗୋଟିଏ ଟ୍ରାକରେ ଚଳାଇବାରେ ସକ୍ଷମ ହୋଇପାରିଛନ୍ତି ମାନସୀ । ସେଥିପାଇଁ ତାଙ୍କୁ ଢ଼େରସାରା ଶୁଭେଚ୍ଛା ।