ସେନାର ବଡ ସଫଳତା ଗିରଫ ହେଲେ ତିନ ଆତଙ୍କବାଦୀ
ଶ୍ରୀନଗର : ଭାରତୀୟ ସେନା ଏବଂ ପୋଲିସ ଶ୍ରୀନଗରର ବାହାର ଅଂଚଳରୁ ୩ ଜଣ ହାଇବ୍ରିଡ୍ ଆତଙ୍କୀଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୩ଟି AK ସିରିଜ ରାଇଫଲ, ୨ଟି ପିସ୍ତଲ, ୯ଟି ମାଗାଜିନ ଏବଂ ୨ ଶହ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୋଲିସ କହିଛି ଯେ ହାଇବ୍ରିଡ ଆତଙ୍କବାଦୀ ମାନେ ତାଲିକାଭୁକ୍ତ କଠୋରପନ୍ଥି ନୁହଁନ୍ତି । ଏମାନେ ଆତଙ୍କବାଦୀ ଆକ୍ରମଣ କରନ୍ତି ଏବଂ ଅନେକ ସମୟରେ ନିଜ ନିୟମିତ ଜୀବନକୁ ଫେରିଯାଆନ୍ତି । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଲଶ୍କର ଆତଙ୍କବାଦୀ ସାଜାଦ ତନ୍ତ୍ରେଙ୍କ ମୃତ୍ୟୁ ଘଟିଥିଲା । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ରବିବାର ଦିନ ଚେକି ଡୁଡୁ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଲୁଚି ରହିଥିବା ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ଦିଆଯାଇଥିଲା ।
ଏହା ପରେ ପୋଲିସ ଏବଂ ଭାରତୀୟ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନ୍ ପାଇଁ ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ, ଯାହା ସେନା ଏବଂ ପୋଲିସକୁ ମାରିବା ପରିବର୍ତ୍ତେ ଆତଙ୍କବାଦୀ ସାଜାଦ ଉପରେ ବାଜିଥିଲା ।
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପୋଲିସ ଏବଂ ସେନା ଦ୍ୱାରା ନିରନ୍ତର ଅଭିଯାନ ଚାଲିଛି । ଏହି ସମୟରେ ଏନକାଉଣ୍ଟରରେ ଅନେକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୧୭୬ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଥିମଧ୍ୟରୁ ୧୨୬ ଜଣ ସ୍ଥାନୀୟ ଆତଙ୍କବାଦୀ ଥିଲେ ।