ଭୁବନେଶ୍ବର: ପୁଣି ବିଜେଡି ଉପରେ ବର୍ଷିଲେ ନଡ୍ଡା କହିଲେ ଓଡ଼ିଶାରେ ବିକାଶ ଆଣିବାକୁ ହେଲେ ପଦ୍ମକୁ ଭୋଟ ଦେବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବା, ମହିଳା ବଞ୍ଚିତ, ଦଳିତ ସବୁ ବର୍ଗର ଲୋକଙ୍କ କଥା ଚିନ୍ତା କରୁଛନ୍ତି। ମୋଦୀଜୀଙ୍କ ବିଭିନ୍ନ ଯୋଜନା ଲୋକଙ୍କ ହିତ ସାଧନ କରିଆସିଛି। ଏଣୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଘରଘରକୁ ଯାଇ ମୋଦୀ ସରକାରର ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର କରିବା ଆବଶ୍ୟକ। ସେ କହିଛନ୍ତି, ଓଡ଼ିଶାରେ ମୋଦୀ ସରକାର ଛଅଟି ନୂତନ ମେଡିକାଲ କଲେଜ ସ୍ଥାପନ କରିଛନ୍ତି।
ମୋଦୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢ଼ୁଛି। ଏକଥା ଗାଁଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ସେ ପରାମର୍ଶ ଦେଇଛନ୍ତି। ଆଗାମୀ ୨୫ ବର୍ଷରେ ଭାରତକୁ ଶ୍ରେଷ୍ଠ ଭାରତ ଭାବେ ଠିଆ କରାଇବାକୁ ପଡ଼ିବ। ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହା କହିଛନ୍ତି। ବିକଶିତ ଭାରତ ସହ ବିକଶିତ ଓଡ଼ିଶାର ଗଠନ ହେବା ଦରକାର ବୋଲି ଜେପି ନଡ୍ଡା କହିଛନ୍ତି। ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ। ଏଣୁ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଆସିବା ଦରକାର ବୋଲି ସେ କହିଛନ୍ତି।