ମହାରାଷ୍ଟ୍ରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣି ଘୁଞ୍ଚିଲା
ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣି ଘୁଞ୍ଚିଲା। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେଙ୍କ ସମେତ ଦଳର ୧୬ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ମାମଲାରେ ଏକାଧିକ ପିଟିସନ ଦାଖଲ ହୋଇଥିବାରୁ ଏଥିପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ କହିଛନ୍ତି ସୁପ୍ରମିକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା । ଏଥିପାଇଁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି କୋର୍ଟ ।
ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁୁ ଶିବସେନା ସାଂସଦ ସଞ୍ଜୟ ରାଉତ ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତ. ଏହା ସିନ୍ଦେ ସରକାରର ବଞ୍ଚିବା ତିଷ୍ଠିବା ଉପରେ ନୁହେଁ ଗଣତନ୍ତ୍ରର ପ୍ରତିଷ୍ଠା ଉପରେ ପ୍ରଶ୍ନ ଉଠିଛି । ମୁକ୍ତ ଏବଂ ସ୍ୱଚ୍ଛ ନ୍ୟାୟପାଳିକା ପାଇଁ ଏହା ଏକ ବଡ଼ ପରୀକ୍ଷା । ଉଦ୍ଧବ ଠାକରେ ସରକାରରେ ଉପ ବାଚସ୍ପତି ଜାରି କରିଥିବା ଅଯୋଗ୍ୟ ଘୋଷଣା ମାମଲାରେ ସିନ୍ଦେ ସରକାରରେ ନୂଆ ବାଚସ୍ପତି ହୋଇଥିବା ରାହୁଲ ନରୱେକରଙ୍କୁ ଆଗାମୀ ଶୁଣାଣି ନ ହେବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ ନ୍ୟାୟାଳୟ ।