ନୂଆଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭ, ରାଷ୍ଟ୍ରଦୂତ ଓ ଶିଳ୍ପପତିମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ(ଆମ ଟିଭି): ବୁଧବାରଦିନ ନୂଆଦିଲ୍ଲୀରେ ୩୦ଟି ଦେଶର ରାଷ୍ଟ୍ରଦୂତ ଓ ବିଭିନ୍ନ ଶିଳ୍ପକ୍ଷେତ୍ରର ୫୦ରୁ ଅଧିକ ପ୍ରତିନିଧିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର କନଟପ୍ଲେସ ନିକଟରେ ଅବସ୍ଥିତ ଲି’ ମେରିଡିଆନ ହୋଟେଲରେ ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭର କର୍ଟନ ରେଜର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ମେକ-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟର ସୁନ୍ଦର ସମ୍ଭାବନା, ଓଡ଼ିଶାର ଅନୁକୂଳ ବ୍ୟବସାୟ ବାତାବରଣ, ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି ।
ଏହା ସହିତ ସେ ରାଷ୍ଟ୍ରଦୂତ ଓ ଶିଳ୍ପପତିମାନଙ୍କୁ ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ଆୟୋଜିତ ୩ୟ ମେକ-ଇନ-ଓଡ଼ିଶା ସମ୍ମିଳନୀକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଦେଶର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଅନ୍ୟତମ ଓ ଗତ ଦଶକରେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ଥିଲା । ଓଡ଼ିଶା ପୂର୍ବ ଭାରତରେ ଏକ ପ୍ରମୁଖ ନିବେଶ ସ୍ଥଳୀରେ ପରିଣତ ହୋଇଛି । ନିଜର ଖଣିଜ ସଂପଦ ଓ ଉତ୍ତମ ଅବସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଗତ ୨୦ ବର୍ଷ ହେଲା ରାଜ୍ୟ ସରକାର ଅନୁକୂଳ ନୀତି, ପ୍ରଭାବୀ ପ୍ରଶାସନ ଓ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ଏହି ପ୍ରାକୃତିକ ସୁଯୋଗର ସଦୁପଯୋଗ ଉପରେ ଗୁରୁତ୍ବ ଦେଇଚାଲିଛନ୍ତି ।