ଅତିକ୍ ଓ ଅଶରିଫଙ୍କ ହତ୍ୟାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ :ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନି ଜଣ ଯୁବକ ହତ୍ୟା କରିବା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ ପୁଲିସ୍ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ଓ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ପ୍ରୟାଗରାଜରେ ହାଇଆଲର୍ଟ ଜାରି କରାଯିବା ସହିତ ଅତିରିକ୍ତ ପୁଲିସ ଫୋର୍ସକୁ ମୁତୟନ କରାଯାଇଛି। ପ୍ରୟାଗରାଜ ଓ ଏହାର ଆଖପାଖ ଜିଲ୍ଲା ଗୁଡ଼ିକରେ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ)କୁ ମଧ୍ୟ ମୁତୟନ କରାଯାଇଛି।

ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ତିନି ଜଣିଆ ଜୁଡିସିଆଲ କମିଶନ ଘଟଣାର ତଦନ୍ତ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଶନିବାର ରାତି ପ୍ରାୟ ୧୦ଟା ବେଳେ ପ୍ରୟାଗରାଜରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରାଯାଇଥିଲା। ସେମାନଙ୍କୁ ପ୍ରୟାଗରାଜର ଏକ ଡାକ୍ତରଖାନାକୁ ଚେକ୍‌ଅପ୍ ପାଇଁ ନିଆଯାଇଥିଲା। ଦୁଇ ଭାଇଙ୍କୁ ପୁଲିସ୍ ଜିପ୍‌ରୁ ଓହ୍ଲାଇ ଡାକ୍ତରଖାନାକୁ ନେଉଥିଲା। ଏହି ସମୟରେ ଉଭୟଙ୍କ ହାତରେ ହାତକଡ଼ି ପଡ଼ିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଦୁଇ ଭାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ପଛରୁ ଗୁଳିମାଡ଼ ହୋଇଥିଲା। କେହି କିଛି ଭାବିବା ପୂର୍ବରୁ ଗୁଳିମାଡ଼ରେ ପ୍ରଥମେ ଅତିକ ଟଳି ପଡ଼ିଥିଲେ। ତା’ପରେ ତାଙ୍କ ଭାଇ ଅଶରଫ। ଅଭିଯୁକ୍ତମାନେ ଏକାଧିକ ରାଉଣ୍ଡ ଗୁଳି କରିଥିଲେ ଓ ପରେ ହାତ ଟେକି ଆତ୍ମସମର୍ପଣ କରିଥିଲେ। ପୁଲିସ୍ ସେମାନଙ୍କୁ ଗିରଫ କରିଛି।

ପ୍ରୟାଗରାଜ ପୁଲିସ୍ କହିଛି ଯେ ସେମାନେ (ତିନି ଅଭିଯୁକ୍ତ) ନିଜକୁ ଗଣମାଧ୍ୟମ ପ୍ରତିନିଧି କହି ସେଠାରେ ଉପସ୍ଥିତ ଥିଲେ ଓ ହଠାତ୍ ଗୁଳି ଚଳାଇଥିଲେ। ଏହି ଘଟଣା ବେଳେ ତଳେ ପଡ଼ି ଜଣେ ସାମ୍ବାଦିକ ଆହତ ହୋଇଥିବା ବେଳେ ଜଣେ କନଷ୍ଟେବଲଙ୍କ ଦେହରେ ଗୁଳି ବାଜିଥିଲା।

Leave A Reply

Your email address will not be published.