ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

0

ପୁରୀ(ଆମ ଟିଭି): ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପରିକ୍ରମା ମାର୍ଗ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମଙ୍ଗଳବାର ପୁଣି ଥରେ ସମୀକ୍ଷା କରିଥିଲେ। ଯଜ୍ଞ ସ୍ଥଳ, ଯାତ୍ରୀ ପରିକ୍ରମା ଚତୁଃପାଶ୍ୱର୍ ଓ ଶ୍ରୀମାର୍ଗ କାର୍ୟ୍ୟ ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ ପରେ ଗୁରୁବାର ରାତି ସୁଦ୍ଧା ନିର୍ମାଣ କାର୍ୟ୍ୟ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରଦ୍ୱାର ସମ୍ମୁଖରେ ଚାଲିଥିବା ଯଜ୍ଞ ମଣ୍ଡପ ଏବଂ ସଭା ମଣ୍ଡପ ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ। ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ପର୍ୟ୍ୟନ୍ତ ଶ୍ରୀଦାଣ୍ଡ ନିର୍ମାଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଶ୍ରୀ ଜେନା ଆଲୋଚନା କରିଥିଲେ।

ଆସନ୍ତା ୧୬ ତାରିଖ ସୁଦ୍ଧା ଶ୍ରୀଦାଣ୍ଡ ଏବଂ ଶ୍ରୀସେତୁ ସମୂର୍ଣ୍ଣ କାର୍ୟ୍ୟକ୍ଷମ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୧୭ ତାରିଖ ପରିକ୍ରମା ମାର୍ଗ ଲୋକାର୍ପଣ ଦିନ ଭକ୍ତମାନେ ଏହି ଦୁଇଟି ରାସ୍ତା ଦେଇ ଯାତାୟାତ କରିବେ। ଅନୁଧ୍ୟାନ ସମୟରେ ଜିଲାପାଳ ସମର୍ଥ ବର୍ମା, ଉପ ଜିଲାପାଳ ଭବତାରଣ ସାହୁ, ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକଳ୍ପ କାର୍ୟ୍ୟ ଶେଷ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.