ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଆହୁରି ବଢିବ ଶୀତ । ରାଜ୍ୟରେ ଶୀତ ଆସନ୍ତା ୩ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ କୋରାପୁଟରେ ସବୁଠୁ କମ୍ ତାପମାତ୍ରା ୮.୪ ଡିଗ୍ରୀ ରେକର୍ଡ଼ ହୋଇଛି। ଜି.ଉଦୟଗିରିରେ ୯ ଡିଗ୍ରୀ, ଦାରିଙ୍ଗବାଡ଼ି ୧୦.୫ ଡିଗ୍ରୀ, ଫୁଲବାଣୀ ୧୧ ଡିଗ୍ରୀ, ଅନୁଗୋଳ ୧୧.୬ ଡିଗ୍ରୀ, ଭୁବନେଶ୍ବର ୧୬.୪ ଡିଗ୍ରୀ ଏବଂ କଟକରେ ୧୬.୫ ଡିଗ୍ରୀ ରେକର୍ଡ଼ ହୋଇଛି।
ମଙ୍ଗଳବାର ସକାଳେ କଟକ, ଢେଙ୍କାନାଳ, ଅନୁଗୋଳ, ରାଉରକେଲା, ଖୋର୍ଦ୍ଧା ଏବଂ ଫୁଲବାଣୀରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା। ଏସବୁ ସ୍ଥାନରେ ଦୃଶ୍ୟମାନ ଦୂରତା ୨୦୦ ମିଟର ତଳେ ରହିଥିଲା। ଆସନ୍ତାକାଲି ସକାଳ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଯାଜପୁର, ଭଦ୍ରକ, ଗଜପତି, ଗଞ୍ଜାମ, ନବରଙ୍ଗପୁର ଓ ବଲାଙ୍ଗୀର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବା ନେଇ ସତର୍କତା ଜାରି କରାଯାଇଛି।