ଦୁର୍ନୀତିଗ୍ରସ୍ତଙ୍କୁ ଛଡ଼ାଯିବନି: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

0

ଭୁବନେଶ୍ବର (ଆମ ଟିଭି): ରାଜ୍ୟ ତଥା ଲୋକଙ୍କ ବିକାଶ କ୍ଷେତ୍ରରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ। ତେଣୁ ରାଜ୍ୟ ସରକାର ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ଅଙ୍ଗୀକାରବଦ୍ଧ। ଏଥି ପାଇଁ ସରକାର ପ୍ରଥମ ଦିନରୁ ଦୁର୍ନୀତିଗ୍ରସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯାଇ ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ।

ଆଜି ବିଧାନସଭାରେ ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖିବା ଅବସରରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏମିତି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବ ସରକାର ସମୟରେ ଜଳସମ୍ପଦ ପ୍ରକଳ୍ପଗୁଡ଼ିକୁ କରାଯାଇଥିବା ଅବହେଳାକୁ ଦର୍ଶାଇବା ସହ ବର୍ତ୍ତମାନ ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି।

ଶ୍ରୀ ମାଝୀ କହିଥିଲେ, ରାଜ୍ୟ ସରକାର ଜଳସମ୍ପଦ ବିଭାଗର ବଜେଟକୁ ଗତ ବର୍ଷ ତୁଳନାରେ ୨୩% ବୃଦ୍ଧି କରି ୧୩,୨୨୩ କୋଟି ୨୨ ଲକ୍ଷ ଟଙ୍କା କରିଛନ୍ତି। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ଜଳ ନିରାପତ୍ତା ସମ୍ପନ୍ନ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଜଳ ସଂରକ୍ଷଣ ନୀତି, ବିସ୍ତୃତ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା, ମହାନଦୀର ରୁଲ୍ କର୍ଭର ସମୀକ୍ଷା, ଜଳଭଣ୍ଡାରଗୁଡ଼ିକର ପଟୁ ନିଷ୍କାସନ ତଥା ଅନ୍ତଃରାଜ୍ୟ ଜଳପଥ ବିକାଶ ପାଇଁ ଚାରିଟି ବୈଷୟିକ କମିଟି ଗଠନ କରିଛନ୍ତି। ଏହି କମିଟିଗୁଡ଼ିକର ସୁପାରିସକୁ ଭିତ୍ତି କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Leave A Reply

Your email address will not be published.