କ୍ରସ ଭୋଟିଂ ଉପରୁ ହଟିଲା ପରଦା, ମୋକିମଙ୍କ ବ୍ୟତୀତ ଓଡ଼ିଶାରେ ଆଉ କେହି କରିନାହାନ୍ତି କ୍ରସ ଭୋଟିଂ
ଭୁବନେଶ୍ବର(ଆମ ଟିଭି): କ୍ରସ ଭୋଟିଂକୁ ନେଇ ହେଉଥିବା କଳ୍ପନା କଳ୍ପନା ଉପରୁ ହଟିଲା ପରଦା। ମୋକିମଙ୍କ ବ୍ୟତୀତ ଓଡ଼ିଶାରେ ଆଉ କେହି କରିନାହାନ୍ତି କ୍ରସ ଭୋଟିଂ। ରାଜ୍ୟରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୭ ଥିବାବେଳେ ଭୋଟ ଦେଇ ନଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୪୬ ଭୋଟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୧୩୭ ଭୋଟ ମିଳିଥିବାବେଳେ ବିରୋଧୀଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ମିଳିଛି ୯ଟି ଭୋଟ ।ରାଜ୍ୟରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୨ ଥିବାବେଳେ ବିଜେପି ବିଧାୟକଙ୍କ ସଂଖ୍ୟା ରହିଛି ୨୨ । ବିଜେଡିରୁ ବହିଷ୍କୃତ ସ୍ବାଧୀନ ବିଧାୟକ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । କ୍ରସ ଭୋଟିଂ କରିଥିବା କଂଗ୍ରେସ ବିଧାୟକଙ୍କ ସଂଖ୍ୟା ମିଶିବାରୁ ଦ୍ରୌପଦୀ ପାଇଛନ୍ତି ମୋଟ ୧୩୭ ଭୋଟ । କଂଗ୍ରେସର ୯ ବିଧାୟକ ଥିବାବେଳେ ସିପିଏମର ଅଛନ୍ତି ଜଣେ ବିଧାୟକ ।
ଜାତୀୟସ୍ତରରେ ହୋଇଥିବା ବୁଝାମଣା ଅନୁସାରେ ସିପିଏମ ବିଧାୟକ ଦେଇଛନ୍ତି ସିହ୍ନାଙ୍କୁ ଭୋଟ । ସେପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କ୍ରସ ଭୋଟିଂ କରିଥିବାବେଳେ ସିପିଏମର ଗୋଟିଏ ଭୋଟ ଯୋଗୁଁ ସିହ୍ନା ପାଇଛନ୍ତି ମୋଟ ୯ଟି ଭୋଟ । ରାଜ୍ୟର ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ ରହିଛି ୧୪୯ । ଫଳରେ ଦ୍ରୌପଦୀ ପାଇଥିବା ଭୋଟ ମୂଲ୍ୟ ରହିଛି ୨୦ ହଜାର ୪୧୩ । ଯଶଓ୍ବନ୍ତ ସିହ୍ନା ପାଇଥିବା ଭୋଟ ମୂଲ୍ୟ ରହିଛି ୧ ହଜାର ୩୪୧ ।