ଚୀନ ଭାରତ ମୁହାଁମୁହିଁ ବିଷରେ ସଂସଦରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ଚୀନ

0

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚାଇନାର ଅନୁପ୍ରବେଶ ଘଟଣାକୁ ନେଇ ତମ୍ଭିତୋଫାନ ଦେଖାଦେଇଛି। ଚାଇନା ସେନା ଏକତରଫା ଭାବେ ଅରୁଣାଚଳ ପ୍ରଦେଶର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରୁଥିଲା। ଏଥିସହ ଭାରତର ଗୋଟିଏ ଅଂଶକୁ ଦଖଲ କରିବାକୁ ଚାହିଁଥିଲା। କିନ୍ତୁ ଭାରତୀୟ ସେନା ବେଶ ସାହାସର ସହ ଚାଇନା ଯବାନଙ୍କ ମୁକାବିଲା କରିଥିଲା। ଫଳରେ ଚାଇନା ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଜି ସଂସଦର ଉଭୟ ଗୃହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି ।

ସେ କହିଛନ୍ତି, “ଡିସେମ୍ବର ୯ ତାରିଖରେ ପିଏଲଏ ଟ୍ରୁପ୍ସ ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା) ଅତିକ୍ରମ କରିଥିଲେ। ସେମାନେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଅନୁପ୍ରବେଶ କରି ସ୍ଥିତାବସ୍ଥାକୁ ଏକତରଫା ଭାବେ ପରିବର୍ତ୍ତନ କରିବାକୁ ଚାହିଁଥିଲେ। ଚାଇନାର ଏପରି ଆଚରଣର ଜବାବ ଆମ ଯବାନ ବେଶ ଦୃଢ଼ତାର ସହ ଦେଇଛନ୍ତି।

ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଭାରତୀୟ ସେନା ଚାଇନାର ଏପରି ଅନୁପ୍ରବେଶକୁ ରୋକିବା ସହ ପିଏଲଏକୁ ସେମାନଙ୍କ ପୋଷ୍ଟ ନିକଟକୁ ଫେରିଯିବାକୁ ବାଧ୍ୟ କରାଇଥିଲା। ଏହି ସଂଘର୍ଷରେ ଦୁଇ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି।

ମୁଁ ଏହି ସଦନକୁ ଅବଗତ କରାଇବାକୁ ଚାହୁଁଛି ଯେ ଜଣେ ହେଲେ ବି ଭାରତୀୟ ସୈନ୍ୟ ପ୍ରାଣ ହରାଇନାହାନ୍ତି। ଏପରି କି କେହି ବି ଗୁରୁତର ଆହତ ହୋଇନାହାନ୍ତି। ଭାରତୀୟ ମିଲିଟାରୀ କମାଣ୍ଡରଙ୍କ ସଠିକ ପଦକ୍ଷେପ ଯୋଗୁ ପିଏଲଏ ଯବାନମାନେ ସେମାନଙ୍କ ପୋଷ୍ଟକୁ ଫେରି ଯାଇଛନ୍ତି।

ଘଟଣାର ପରେ ଉକ୍ତ ଅଞ୍ଚଳର କମାଣ୍ଡର ୧୧ ଡିସେମ୍ବରରେ ନିଜର ଚାଇନିଜ ପ୍ରତିପକ୍ଷଙ୍କ ସହ ବୈଠକ କରିଥିଲେ। ଫ୍ଲାଗ ମିଟିଂ କରି ଚାଇନା ସହ ଏହି ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ଚାଇନାକୁ ଏପରି ଅନୁପ୍ରବେଶ ନ କରିବାକୁ କୁହାଯାଇଛି। ଏଥିସହ ସୀମାରେ ଶାନ୍ତି ବଜାୟୀ ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ପ୍ରସଙ୍ଗରେ ଚାଇନିଜ ଅଧିକାରୀଙ୍କ ସହ କୂଟନୀତିକ ସ୍ତରରେ ମଧ୍ୟ ଆଲୋଚନା ହୋଇଛି। ଆମ ଯବାନମାନେ ଦେଶର ଅଖଣ୍ଡତାର ସୁରକ୍ଷା ପ୍ରତି ସଂପୂର୍ଣ୍ଣ ପ୍ରତିବଦ୍ଧ।”

ତେବେ ବିରୋଧୀ ଦଳଗୁଡ଼ିକ ଏହି ବିବୃତିରେ ସନ୍ତୁଷ୍ଟ ହୋଇନାହାନ୍ତି। ଲୋକସଭାରେ ରାଜନାଥ ସିଂହଙ୍କ ବିବୃତି ପରେ ସେମାନେ ନିଜର ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଛନ୍ତି। ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ ଏହି ଗୋଟିଏ ବିବୃତିରେ ସେମାନେ ସନ୍ତୁଷ୍ଟ ନୁହନ୍ତି। ଗୁରୁତ୍ୱପୂର୍ଣ୍ଣ ସୀମା ପ୍ରସଙ୍ଗରେ ସେମାନେ ଖୋଲା ଆଲୋଚନା ଚାହୁଁଛନ୍ତି। ଏଧିକାଂଶ ବିରୋଧୀ ଦଳ ଗୃହ କାର୍ଯ୍ୟକୁ ବନ୍ଦ କରି ଭାରତ-ଚାଇନା ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.