ବଦଳିଗଲା ବାତ୍ୟାର ମୋଡ଼, ବର୍ତ୍ତିଗଲା ଓଡ଼ିଶା: ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି ଓ କୋରାପୁଟକୁ ରେଡ୍ ୱାର୍ଣ୍ଣିଂ

0

ଭୁବନେଶ୍ୱର(ଆମ ଟିଭି): ମୋନ୍ଥାର ମାଡ଼ରୁ ବର୍ତ୍ତିଗଲା ଓଡ଼ିଶା । ମାଲକାନଗିରିରୁ ପଶ୍ଚିମରେ ୩୦ରୁ ୪୦ କିଲୋମିଟର ଦେଇ ଗତି କରିବ ମୋନ୍ଥା । ପୂର୍ବରୁ ଅନୁମାନ ଥିଲା ଏହା ମାଲକାନଗିରି ଜିଲ୍ଲା ଦେଇ ଯିବ । କିନ୍ତୁ ବାତ୍ୟାର ମୋଡ଼ ବଦଳିଗଲା । ବର୍ତ୍ତମାନ ମାଲକାନଗିରି ଦେଇ ଯାଉ ନାହିଁ ବାତ୍ୟାର ଗତିପଥ । ତେଣୁ ପବନର ବେଗ ୬୦ କିଲୋମିଟରରୁ ଅଧିକ ହେବ ନାହିଁ । ବାତ୍ୟା ପଥ ଓଡ଼ିଶା ଦେଇ ଯାଉ ନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ବର୍ଷା ଓ ପବନ ଯୋଗୁଁ ପ୍ରଭାବିତ ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଛି । ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ।

‘ମୋନ୍ଥା’ ଧୀରେ ଧୀରେ ଆଗକୁ ବଢ଼ୁଥିବାରୁ ଭୋର୍ ସମୟରେ ଦକ୍ଷିଣ ଓଡ଼ିଶା ପାଖ ଦେଇ ଛତିଶଗଡ଼ମୁହାଁ ହେବ । ପ୍ରବଳ ବର୍ଷା ଓ ପବନ ନେଇ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏପଟେ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଯାଏ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ତିନି ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ ଏବଂ ପାରାଦୀପ, ଧାମରା, ପୁରୀ, ଛତ୍ରପୁର ଓ ଚାନ୍ଦବାଲି ବନ୍ଦରରେ ଦୁଇ ନମ୍ବର ଦୂରବର୍ତ୍ତୀ ସତର୍କତା ସଙ୍କେତ ଜାରି ହୋଇଛି ।

Leave A Reply

Your email address will not be published.