ରାଜ ପରିବାରରେ ଯୌତୁକ କଳଙ୍କ
ଭୁବନେଶ୍ୱର : ଅକଳରେ ପଡ଼ିଯାଇଛି ବଲାଙ୍ଗିରର ରାଜପରିବାର। ରାଜପରିବାରର ୫ ଜଣ ସଦସ୍ୟ ଅନଙ୍ଗ ଉଦୟ ସିଂହ ଦେଓ, ତାଙ୍କ ପତ୍ନୀ, ତାଙ୍କ ବଡ଼ ପୁଅ ତଥା ପୂର୍ବତନ ସାଂସଦ କଳିକେଶ ସିଂହ ଦେଓ, ବଡ଼ ବୋହୂ ଓ ସାନ ପୁଅ ଅର୍କେଶ ସିଂହ ଦେଓଙ୍କ ବିରୋଧରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ।ଏହି ଅଭିଯୋଗ ଆଣିଛନ୍ତି ଅର୍କେଶ ସିଂହ ଦେଓଙ୍କ ପତ୍ନୀ ଅଦ୍ରିଜା ସିଂହ।।
ସେ କହିଛନ୍ତି, ମୋ ସ୍ୱାମୀ ଅର୍କେଶ ସିଂହ ଦେଓଙ୍କ ସମେତ ତାଙ୍କ ପରିବାର ଲୋକେ ୫ବର୍ଷ ହେବ ଯୌତୁକ ପାଇଁ ମୋତେ ମାନସିକ ନିର୍ଯାତନା ଦେଉଥିଲେ। ମେଣ୍ଟାଲ ହାରସମେଣ୍ଟ ସହ ଫିଜିକାଲ ଆସଲ୍ଟ ମଧ୍ୟ କରାଯାଇଥିଲା। ଷ୍ଟାଫ୍ଙ୍କ ଜରିଆରେ ମୋତେ ମାଡ଼ ମଧ୍ୟ ମରାଯାଇଥିଲା।
ସେ କହିଛନ୍ତି, ମୋ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ଓ ଯାଆ ମୋତେ ମାନସିକ ନିର୍ଯାତନା ଦେଇଛନ୍ତି। ସେମାନେ ମୋତେ ମାରପିଟ୍ କରିବା ସହ ଟିକିଏ ଟିକିଏ କଥାରେ ମୋତେ ଗାଳିଗୁଲଜ କରୁଥିଲେ। ସବୁବେଳେ ମୋ ଉପରେ ନଜର ରଖାଯାଉଥିଲା। ମୋ ବେଡ୍ରୁମରେ କ୍ୟାମେରା ଲଗାଇଥିଲେ। ଏନେଇ ବିରୋଧ କରିବାରୁ ମୋତେ ଗାଳିଗୁଲଜ କରିବା ସହ ଧମକଚମକ ଦେଉଥିଲେ। ମୋ ଶ୍ୱଶୁର ଯୌତୁକ ବାବଦରେ ଟଙ୍କା ଆଣିବାକୁ କହୁଥିଲେ।
ଅଦ୍ରିଜା କହିଛନ୍ତି, ଗତ ଅଗଷ୍ଟ ମାସରେ ମୋ ସ୍ୱାମୀ ମୋତେ ଡିଭୋର୍ସ ମାଗିଥିଲେ। କାହିଁକି ମୋ ସ୍ୱାମୀ ଡିଭୋର୍ସ ମାଗିଥିଲେ ମୁଁ ଜାଣିନି। ମୁଁ ଏ ବିଷୟରେ ମୋ ସ୍ୱାମୀଙ୍କ ସହ ବହୁତ ଥର କଥା ହେବାକୁ ଚେଷ୍ଟା କରିଥିଲି। ଶେଷରେ ମୁଁ ୩୦ ସେପ୍ଟମ୍ବରରେ ଡେରାଡୁନର ରାଜପୁର ଥାନାରେ ମୋ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର ମୋତେ ନିର୍ଯାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲି। ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ପରେ ମୁଁ ଡେରାଡୁନ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲି। ଏବେ ମାମଲା ବିଚାରାଧୀନ ରହିଛି