ଭୁବନେଶ୍ୱର(ଆମ ଟିଭି): ଡ୍ରାଇଭର ଆନ୍ଦୋଳନକୁ ନେଇ ଏକ ବଡ଼ ଖବର ଆସି ପହଞ୍ଚିଛି । ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ ବ୍ୟାପକ ହେବା ପରେ ସଂଘ ସହ ଆଲୋଚନା କରିଥିଲେ ପରିବହନ କମିଶନର ଅମିତାଭ ଠାକୁର । ଡ୍ରାଇଭର ସଂଘ ସହ ଆଲୋଚନା ପରେ ସକରାତ୍ମକ ଫଳାଫଳ ମିଳିପାରିଛି ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ।
ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ତେଜିଥିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଏଥରେ ସାମିଲ ହୋଇଥିଲେ ରାଜ୍ୟର ଡ୍ରାଇଭର ସଂଘ । କିନ୍ତୁ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ତୈଳ ପରିବହନ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ ପଡିବା ପରେ ରାଜ୍ୟ ଡ୍ରାଇଭର ସଂଘ ସହ ଆଲୋଚନା କରିଥିଲେ ପରିବହନ କମିଶନର । ସେମାନଙ୍କର ଏକାଧିକ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି ।