ଭୁବନେଶ୍ୱର(ଆମ ଟିଭି): ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସାରା ଦେଶରୁ ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇଛି। ୨୫ ତାରିଖ ପର୍ୟ୍ୟନ୍ତ ଐହିତ୍ୟ ଖଣ୍ଡଗିରି ପାହାଡ଼ ଓ ଏହାର ପାଦଦେଶରେ ହୋମଯଜ୍ଞ ସହ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ଚାଲିବ। ଏଥିସହ ୧୮ରୁ ୨୯ ତାରିଖ ପର୍ୟ୍ୟନ୍ତ ଯାତ୍ରା ମହାସମରରେ ବିଭିନ୍ନ ଅପେରା ପାର୍ଟି ଲୋକଙ୍କୁ ମନୋରଞ୍ଜନ କରିବେ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଯାତ୍ରା ଓ ମିନାବଜାର ଦୋକାନ ପାଇଁ ପ୍ରାୟ ୫ଶହ ଆବେଦନ ଆସିଥିବାବେଳେ ଚଳିତବର୍ଷ ପ୍ରାୟ ୩୬୦ଟି ଷ୍ଟଲ୍କୁ ଅନୁମତି ମିଳିବ। ମେଳା ଚାରିପଟେ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି। ଖୋର୍ଦ୍ଧା ପଟୁ କୋଳଥିଆ ଛକଠାରୁ ଖଣ୍ଡଗିରିଛକ ପର୍ୟ୍ୟନ୍ତ ବ୍ରିଜ୍ତଳେ, ବରମୁଣ୍ଡା ପଟୁ ପ୍ରାଚୀ ରିସର୍ଟଠାରୁ ଖଣ୍ଡଗିରି ଥାନା ପର୍ୟ୍ୟନ୍ତ, ଜାଗମରା ପଟୁ ସୋଆ କାର୍ୟ୍ୟାଳୟଠାରୁ ହାଉସିଂ ବୋର୍ଡ ନିର୍ମାଣ ପରିସର ଏବଂ ଖାରବେଳ ପାର୍କ ନିକଟରେ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେହିପରି ଜୟଦେବବାଟିକା ପଟୁ ଓଏସ୍ଆର୍ଟିସି ଷ୍ଟାଣ୍ଡ୍ରେ ଲୋକେ ବିନା ଦେୟରେ ଗାଡି ରଖିପାରିବେ।
ତେବେ ଚୟନ ହୋଇଥିବା ସଂସ୍ଥା ଜରିଆରେ ଏହିସବୁ ସେବା ଯୋଗାଇ ଦିଆଯିବ। ପାର୍କିଂ ଦେୟ ପ୍ରଥମ ଦୁଇଘଣ୍ଟାକୁ ଦୁଇଚକିଆ ପାଇଁ ୧୦ଟଙ୍କା ଏବଂ ଚାରିଚକିଆ ପାଇଁ ୨୦ଟଙ୍କା ରହିଛି। ଗାଡି ପ୍ରବେଶଠାରୁ ପ୍ରସ୍ଥାନ ସମୟ ପର୍ୟ୍ୟନ୍ତ ଏହାର ସ୍ବତନ୍ତ୍ର ଦର ରହିଛି। ଏହି ସୂଚନା ପାର୍କିଂ ସ୍ଥଳରେ ପ୍ରଦର୍ଶିତ କରାଯିବ। ମେଳାରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ଅସ୍ଥାୟୀ ଷ୍ଟଲ୍ ପ୍ରଦାନ କରିବା ଏବଂ ସେମାନଙ୍କଠାରୁ ଲାଇସେନ୍ସ ଫି ଆଦାୟ କରିବା, ଯାତ୍ରା ପାର୍ଟି ମାଲିକ ଓ ମେଳା ବ୍ୟବସାୟୀଙ୍କଠାରୁ ରାଜସ୍ବ ଆଦାୟ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୃଙ୍ଖଳିତ ଯାତ୍ରା ପରିଚାଳନା, ଦର୍ଶକଙ୍କ ପାଇଁ ପାଣି, ଅସ୍ଥାୟୀ ଶୌଚାଳୟ, ପରିମଳ, ସାମାଜିକ ଅଶ୍ଳୀଳତାକୁ ଯାତ୍ରାରେ ସ୍ଥାନ ନ ଦେବା ଆଦି ବାବଦରେ ଆୟୋଜକମାନଙ୍କୁ ସତର୍କ କରାଯାଇଛି। ଏହାସହ ଜାଗମରାରୁ ଅନନ୍ତକେଶରୀଙ୍କ ଯାତ୍ରା ସମୟରେ ଉତ୍ତମ ଆଲୋକୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।