କୋଲକତା (ଆମ ଟିଭି): କୋଲକତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦେଇଛି ଚାଞ୍ଚଲ୍ୟକର ବୟାନ। ପୂର୍ବରୁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣାକୁ ସ୍ୱୀକାର କରିଥିବା ସଞ୍ଜୟ ଏବେ ତା’ର ବୟାନ ବଦଳାଇଛି। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ସେମିନାର ରୁମରେ ପହଞ୍ଚିଲା ବେଳକୁ ମହିଳା ଡାକ୍ତର ରକ୍ତାକ୍ତ ଅବସ୍ଥାରେ ସେଠାରେ ତଳେ ପଡ଼ି ରହିଥିଲେ ବୋଲି କହିଛି।
ଅଗଷ୍ଟ ୧୦ରୁ ଗିରଫ ହୋଇ ପ୍ରେସିଡେନ୍ସି ଜେଲରେ ଥିବା ସଞ୍ଜୟ ପ୍ରଥମଥର ପାଇଁ ତା’ର ଓକିଲ କବିତା ସରକାରଙ୍କ ସହ କଥା ହୋଇଛି। ଏହି ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ କୋର୍ଟ ମଧ୍ୟ ସେ ସମାନ ଦାବି କରିବ ବୋଲି ଓକିଲ କବିତାଙ୍କୁ ଜଣାଇ ଦେଇଛି।
ସଞ୍ଜୟ ସହ କଥା ହୋଇ ସାରିବା ପରେ କବିତା ସରକାର ସୂଚନା ଦେଇଛନ୍ତି ସେ ପଲିଗ୍ରାଫ ଟେଷ୍ଟ ବା ମିଛ ଧରା ପରୀକ୍ଷାରେ ମଧ୍ୟ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା। ମିଛ ଧରା ପରୀକ୍ଷା ବେଳେ ସଞ୍ଜୟକୁ ୧୦ଟି ପ୍ରଶ୍ନ ପଚରା ଯାଇଥିଲା। ଏହା ମଧ୍ୟରେ ଦୁଷ୍କର୍ମ ଓ ହତ୍ୟା ପରେ ସେ କ’ଣ ସବୁ କରିଥିଲା, ସେସବୁ ପ୍ରଶ୍ନ ଥିଲା।